Report Card Odisha

| Daily Odia News

କାମ ଦେଲାନି ଆୟୁଷ୍ମାନ କାର୍ଡ,ଚାଲିଗଲା ଜୀବନ….

ରିପୋର୍ଟ କାର୍ଡ / ରାଉରକେଲା

ପାଖରେ ଆୟୁଷ୍ମାନ କାର୍ଡ ଥିଲା। ଚିକିତ୍ସା ପାଇଁ ରାଉରକେଲାରୁ ନେଇ ଭୁବନେଶ୍ବର ପର୍ଯ୍ୟନ୍ତ ୫ଟି ଘରୋଇ ହସ୍ପିଟାଲ ଯାଇ ଶେଷରେ ଚାଲିଗଲା ଜୀବନ । କାର୍ଡ କଥା କହିବାରୁ କେହି ତାଙ୍କ କଥା ଶୁଣିଲେନି। ଏ ହସ୍ପିଟାଲରୁ ‌ସେ ହସ୍ପିଟାଲକୁ ଦୌଡ଼ି ଦୌଡ଼ି ଭାଇଙ୍କର ମୃତ୍ୟୁ ହେଇଗଲା । ଏମିତି ଅଭିଯୋଗ କରିଛନ୍ତି ରାଉରକେଲା ଉଦିତନଗର ହୀରାକୁଦ କଲୋନିର ଟି. ଭେଙ୍କେଟସ୍‌ ରାଓ। ଆଗାମୀ ଦିନରେ ଅନ୍ୟ କାହା କ୍ଷେତ୍ରରେ ସେମିତି ନ ଘଟୁ, ସେଥିପ୍ରତି ନୂଆ ସରକାର ଧ୍ୟାନ ଦେବାର ଆବଶ୍ୟକତା ରହିଛି। ‌କାହିଁକି ଓ କେଉଁ ପରିସ୍ଥିତିରେ ଘରୋଇ ହସ୍ପିଟାଲ ଏଭଳି କଲେ, ତା’ର ମଧ୍ୟ ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହି ଘଟଣା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଦିତନଗର ହୀରାକୁଦ କଲୋନିର ଟି. ଭେଙ୍କେଟସ୍‌ ରାଓ, ଭାଇ ଟି. କାମେଶ୍ବର ରାଓ (୪୮) ଓ ତାଙ୍କ ପରିବାର ରହନ୍ତି। ଭେଙ୍କେଟ୍‌ସଙ୍କ କହିବାନୁଯାୟୀ ଗତ ୧୬ ତାରିଖ ଭାଇ କାମେଶ୍ବରଙ୍କ ପେଟ୍‌ ବିନ୍ଧା ହେବାରୁ ତାଙ୍କୁ ରାଉରକେଲାର ଏକ ଘରୋଇ ହସ୍ପିଟାଲକୁ ଦେଖାଇବାକୁ ନେଇଥିଲେ। ପରଦିନ ଅର୍ଥାତ୍‌ ୧୭ ତାରିଖରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭାଇଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ୧୮ ତାରିଖ ସନ୍ଧ୍ୟାରେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ କାମେଶ୍ବରଙ୍କୁ ଆମ୍ବୁଲାନ୍ସ ଯୋଗେ ରାଉରକେଲାରୁ ଭୁବନେଶ୍ବର ‘କେୟାର’ ହସ୍ପିଟାଲକୁ ନେଇଥିଲେ। ରାତି ପ୍ରାୟ ସାଢ଼େ ୧୨ଟାରେ ‘କେୟାର’ ହସ୍ପିଟାଲରେ ପହଞ୍ଚିଥିଲେ। ହସ୍ପିଟାଲର କର୍ମଚାରୀମାନେ ଭେଙ୍କେଟସ୍‌କୁ କାର୍ଡ ନା ନଗଦ କ୍ୟାସରେ ଚିକିତ୍ସା ହେବ ବୋଲି ପଚାରିଥିଲେ। ଭେଙ୍କେଟ୍‌ସ ଆୟୁଷ୍ମାନ କାର୍ଡରେ ଚିକିତ୍ସା କରିବାକୁ କହିଥିଲେ। କାର୍ଡ କଥା କହିବା ପରେ ହସ୍ପିଟାଲ କର୍ମଚାରୀ ବେଡ୍‌ ନଥିବା କହି ଫେରାଇ ଦେଇଥିଲେ। ସେଠାରୁ ଭେଙ୍କେଟସ୍‌ ତାଙ୍କ ଭାଇ କାମେଶ୍ବରଙ୍କୁ କଳିଙ୍ଗ ହସ୍ପିଟାଲକୁ ଯାଇଥିଲେ। ସେଠାରେ ତାଙ୍କୁ ସେହି ସମସ୍ୟା ଭୋଗିବାକୁ ପଡିଥିଲା। ଅନ୍ୟ କିଛି ଉପାୟ ନ ପାଇ କଳିଙ୍ଗ ହସ୍ପିଟାଲରୁ କିମ୍‌ସକୁ ଯାଇଥିଲେ। ସେଠି ମଧ୍ୟ ଭେଙ୍କେଟ୍‌ସକୁ ସମାନ କଥା କୁହାଯାଇଥିଲା। ସେଠାରୁ ପୁଣି ଆଦିତ୍ୟ ଅଶ୍ବିନୀ ଓ ଶେଷରେ ଉତ୍କଳ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାର ବିଳମ୍ବ ହେବାରୁ ଗତ ୨୦ ତାରିଖରେ କାମେଶ୍ବରଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ଭାଇ ଭେଙ୍କେଟ୍‌ସ ଅଭିଯୋଗ କରିଛନ୍ତି। ବିଜୁ ସ୍ବାସ୍ଥ୍ୟକାର୍ଡ ବନ୍ଦ ହେବା ପରେ ଆୟୁଷ୍ମାନ କାର୍ଡ ଚାଲୁ ହୋଇଛି। ବିଜୁ ସ୍ବାସ୍ଥ୍ୟକାର୍ଡକୁ ବନ୍ଦ କରିବା ପୂର୍ବରୁ ଆୟୁଷ୍ମାନ କାର୍ଡକୁ କାର୍ଯ୍ୟକ୍ଷମ କରାଯାଇଥିଲେ ତାଙ୍କ ଭାଇଙ୍କର ଜୀବନ ବଞ୍ଚିଯାଇପାରିଥାନ୍ତା ବୋଲି ‌ଭେଙ୍କେଟସ୍‌ କହିଛନ୍ତି।

Breaking News