ରିପୋର୍ଟକାର୍ଡ / ନୂଆଦିଲ୍ଲୀ
ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ କୂଟନୈତିକ ଚାପ ପକାଉଛି ଭାରତ । ସିନ୍ଧୁ ନଦୀ ଜଳଚୁକ୍ତି ରଦ୍ଦ କରିବା ସହ ସମସ୍ତ ପ୍ରକାର ବ୍ୟବାସାୟିକ ସମ୍ପର୍କ ଛିନ୍ନ କରିଛି ଭାରତ । ପାକିସ୍ତାନ ନେତାଙ୍କ ଭିତରେ ଛନକା ପଶିଛି । କଥାକଥାରେ ଖାଲି ପରମାଣୁ ଧମକ ଦେବାରେ ଲାଗିଛନ୍ତି । ପ୍ରଥମେ ଜଣେ ପାକିସ୍ତାନର ମନ୍ତ୍ରୀ ଭାରତ ଉପରେ ପରମାଣୁ ବୋମା ପକାଇବାକୁ ଧମକ ଦେଇଥିଲେ । ଏବେ ସମାନ କଥାକୁ ଦୋହରାଇଛନ୍ତି ଋଷ୍ରେ ଅବସ୍ଥାପିତ ପାକିସ୍ତାନର ରାଷ୍ଟ୍ରଦୂତ। ଗତ ଶନିବାର ଏକ ସ୍ଥାନୀୟ ଟିଭି ଚ୍ୟାନେଲ୍କୁ ସାକ୍ଷାତାକାର ଦେଇଥିଲେ ଋଷ୍ରେ ଅବସ୍ଥାପିତ ପାକିସ୍ତାନର ରାଷ୍ଟ୍ରଦୂତ ମହମ୍ମଦ ଖାଲିଦ ଜମାତ । ଏହି ସାକ୍ଷାତକାରରେ ଭାରତ ବିରୋଧରେ ମନ୍ତବ୍ୟ ଦେଇଛନ୍ତି । ଭାରତ ଯଦି ଆକ୍ରମଣ କରିବ କିମ୍ବା ସିନ୍ଧ ନଦୀ ଜଳକୁ ରୋକିବାକୁ ଚେଷ୍ଟା କରିବ, ତେବେ ପାକିସ୍ତାନ ପରମାଣୁ ବୋମାରେ ଏହାର ଜବାବ ଦେବ । ଆମ ପାଖରେ ଭାରତ ଆକ୍ରମଣ କରିବା ନେଇ ଗୁପ୍ତ ସୂଚନା ରହିଛି । ଏଥିପାଇଁ ପାକିସ୍ତାନରେ ସ୍ଥାନ ଚିହ୍ନଟ କରିଛି ଭାରତ । କୌଣସି ମୁହୂର୍ତ୍ତରେ ଭାରତ ଆକ୍ରମଣ କରିପାରେ ବୋଲି କହିଛନ୍ତି ପାକିସ୍ତାନର ରାଷ୍ଟ୍ରଦୂତ । ସିନ୍ଧୁ ନଦୀ ଜଳ ଉପରେ ଜୋର୍ ଦେଇ ପାକିସ୍ତାନ ରାଷ୍ଟ୍ରଦୂତ କହିଛନ୍ତି, ଏହି ନଦୀର ଜଳକୁ ରୋକିବାକୁ କିମ୍ବା ଅନ୍ୟ କେଉଁଆଡ଼େ ସ୍ଥାନାନ୍ତରଣ କରିବାକୁ ଚେଷ୍ଟା କରାଗଲେ ପାକିସ୍ତାନ ଏହାକୁ ଆକ୍ଟ୍ ଅଫ୍ ୱାର୍ ବୋଲି ମାନିବ । ଭାରତକୁ ବଳପୂର୍ବକ ଜବାବ ଦେବ ପାକିସ୍ତାନ । ଏହାପୂର୍ବରୁ ପାକିସ୍ତାନ ମନ୍ତ୍ରୀ ହାନିଫ୍ ଆବାସୀ ମଧ୍ୟ ଭାରତ ଉପରେ ପରମାଣୁ ବୋମା ପକାଇଦେବାକୁ ଧମକ ଦେଇଥିଲେ । ସେପଟେ ପାକିସ୍ତାନ ବିରୋଧରେ ଲଗାତାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛି ଭାରତ । ଭାରତ ଆକ୍ରମଣ କଲେ ପରିଣାମ କଣ ହେବ ତାହା ଭଲ ଭାବେ ଜାଣିଛି ପାକିସ୍ତାନ । ଏଣୁ ଭୟରେ ଭାରତକୁ ଆକ୍ରମଣ ଭୟ ଦେଖାଉଛି । ପହଲଗାମ ନରସଂହାର ପରେ ପାକିସ୍ତାନ ଉପରେ ଚାପ ପକାଉଛି ଭାରତ । ପ୍ରଥମେ ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ ପରେ ଭାରତରୁ ସମସ୍ତ ପାକିସ୍ତାନ ନାଗରିକ ତଡ଼ା ଖାଇଛନ୍ତି । ଏହାପରେ ବ୍ୟବସାୟିକ ସମ୍ପର୍କ ବି ଛିନ୍ନ କରିବା ସହ ପାକିସ୍ତାନ ପାଇଁ ଭାରତ ବନ୍ଦର ମନା ହୋଇଛି । ଏଭଳି କୂଟନୈତିକ କାର୍ଯ୍ୟାନୁଷ୍ଠାନ ପରେ ଏବେ ବିଳିବିଳି ହୋଇ ଖାଲି ପରମାଣୁ ବୋମା ଧମକ ଦେଉଛି ପାକିସ୍ତାନ ।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..