Report Card Odisha

| Daily Odia News

କଳିଙ୍ଗ ଷ୍ଟୁଡିଓକୁ ବିକଶିତ କରାଯିବ:ମୁଖ୍ୟମନ୍ତ୍ରୀ….

ରିପୋର୍ଟ କାର୍ଡ / ଭୁବନେଶ୍ବର

ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କଳିଙ୍ଗ ଷ୍ଟୁଡିଓ ପରିଦର୍ଶନ କରିଛନ୍ତି। କଳିଙ୍ଗ ଷ୍ଟୁଡିଓକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଷ୍ଟୁଡିଓ ଭାବେ ବିକଶିତ କରାଯିବ। ତେଣୁ ଏଥିପାଇଁ ଏକ ଡିପିଆର୍‍ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କଳିଙ୍ଗ ଷ୍ଟୁଡିଓ ପରିଦର୍ଶନ କରିବା ଅବସରରେ କହିଛନ୍ତି ଯେ ଓଡ଼ିଆ ଚଳଚ୍ଚିତ୍ରର ବିକାଶ ପାଇଁ ଏହି ଷ୍ଟୁଡିଓର ବିକାଶ ଅତ୍ୟନ୍ତ ଆବଶ୍ୟକ। ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଥାଇ ଏହାକୁ ଏକ ସ୍ୱୟଂସମ୍ପୂର୍ଣ୍ଣ ଷ୍ଟୁଡିଓରେ ପରିଣତ କରାଯିବ। ଚଳଚ୍ଚିତ୍ର ଜଗତ ସହିତ ଜଡ଼ିତ ସମସ୍ତଙ୍କ ସହ ଆଲୋଚନା କରାଯାଇ ଏହାର ବିକାଶ କରାଯିବ। ନୂଆ ସରକାର ଦାୟିତ୍ୱ ନେବା ପରେ ଏହି ଷ୍ଟୁଡିଓର ଅତ୍ୟାଧୁନିକୀକରଣକୁ ଗୁରୁତ୍ୱ ଦେବାପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଷ୍ଟୁଡିଓର ଟେକ୍‍ ବିଲଡିଂ, ଏଣ୍ଟ୍ରାନ୍‍ସ ପ୍ଲାଜା, ଇନ୍‌ଡୋର୍‍ ସୁଟିଂ ବ୍ୟବସ୍ଥା, କଳିଙ୍ଗ ମୁଭି ମ୍ୟାଜିକ୍‍, ଆଭେନ୍ୟୁ ଲ୍ୟାଣ୍ଡ, ଭିଲେଜ୍‍ ଏରିଆ, ଆଇକନିକ୍‍ ଲ୍ୟାଣ୍ଡ ମାର୍କ, ସ୍ନୋ ୱାର୍ଲଡ, କମ୍ୟୁନିଟି ହଲ୍‍, ବାମ୍ୱୋ ଷ୍ଟ୍ରକ୍‍ଚର, ୱାଟର ବଡ଼ି, ଗ୍ରିନ୍‌ ଏରିଆ ଇତ୍ୟାଦି ବିକଶିତ କରାଯାଇଛି । ବାକି ରହିଥିବା କାମ ଗୁଡ଼ିକ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଇଡ୍‌କୋ ପକ୍ଷରୁ ଏହି ବିକାଶ କାର୍ଯ୍ୟ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଷ୍ଟୁଡିଓ ବୁଲି ଦେଖିଥିଲେ। ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ସମର୍ଥ ବର୍ମା ଓ ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ ଉପସ୍ଥିତ ଥିଲେ ।

Breaking News