Report Card Odisha

| Daily Odia News

ଆଜି ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶାରେ ପ୍ରଥମ ବିଜେପି ସରକାର ୧ ବର୍ଷ କାର୍ଯ୍ୟକାଳ ପୂରଣ କରିଛି। ବର୍ଷକ ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ବିଜେପି ନିର୍ବାଚନ ଇସ୍ତାହାରର କିଛି ପ୍ରତିଶ୍ରୁତି ପୂରଣ କରିଛନ୍ତି। ତଥାପି ଆଉ କିଛି ବାକି ରହିଛି। ସ୍ବାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ, ଶିଳ୍ପ, କୃଷି, ଓଡ଼ିଆ ଅସ୍ମିତା ଆଦି ଅନ୍ୟାନ୍ୟ ବିଭାଗଗୁଡ଼ିକ ନିମନ୍ତେ ନୂଆ ଯୋଜନା ଓ ନିଷ୍ପତ୍ତି ନିଆଯାଇଛି। ସ‌େ‌ର୍ବାପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ୨୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ହୋଇଛି। ମୋହନ ସରକାରଙ୍କ ହାତରେ ରାଜ୍ୟବାସୀଙ୍କ ବିକାଶ ପାଇଁ ଆହୁରି ୪ବର୍ଷ ସମୟ ରହିଛି। ଏହି ସମୟ ବିଜେପି ସରକାରଙ୍କ ପାଇଁ ଯେତିକି ସମ୍ବେଦନଶୀଳ ସେତିକି ଆହ୍ବାନପୂର୍ଣ୍ଣ। ଉତ୍ତରାଧିକାର ସୂତ୍ରରେ ମୋହନ ସରକାରଙ୍କୁ ମିଳିଥିବା ମହାନଦୀ, ପୋଲାଭରମ, ବଂଶଧାରା ଓ କୋଟିଆ ଭଳି ଆନ୍ତଃ ରାଜ୍ୟ ବିବାଦର ସମାଧାନ ଏହି ସରକାର ଅମଳରେ ଆଗକୁ ବଢ଼ିପାରେ ବୋଲି ଆଶା କରାଯାଉଛି। ଏହାର ସବୁଠାରୁ ବଡ଼ କାରଣ ହେଲା ରାଜ୍ୟ ଓ କେନ୍ଦ୍ରରେ ବିଜେପିର ଡବଲ ଇଞ୍ଜିନ ସରକାର ଥିବାବେଳେ ପଡ଼ୋଶୀ ଆନ୍ଧ୍ରରେ ତେଲୁଗୁଦେଶମ୍‌ ପାର୍ଟି ନେତୃତ୍ବାଧୀନ ଏନ୍‌ଡିଏ ସରକାର ଓ ଛତିଶଗଡ଼ରେ ବିଜେପି ସରକାର କ୍ଷମତାସୀନ ରହିଛି। ରାଜନୈତିକସ୍ତରରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ବାରମ୍ବାର କହିଆସୁଛନ୍ତି। ସରକାର ଗଠନ ପରେ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ସହ ରତ୍ନଭଣ୍ଡାର ଖୋଲିଛନ୍ତି। କିନ୍ତୁ ବର୍ଷକ ଭିତରେ ଗଣତି ମଣତି ଏବଂ ମରାମତି ସମାପ୍ତ ହୋଇନାହିଁ। ସୁଭଦ୍ରା ଯୋଜନାରେ ମହିଳାଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଦେଇଛନ୍ତି। ୧ କୋଟିରୁ ଊର୍ଦ୍ଧ୍ବ ହିତାଧିକାରୀ ଟଙ୍କା ପାଇଲେଣି। ସୁଭଦ୍ରା ସରକାରଙ୍କ ଲୋକାଭିମୁଖୀ ଯୋଜନା, ହେଲେ ସେମାନଙ୍କୁ ସଶକ୍ତ ଏବଂ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ପାଇଁ ତାଲିମ, ଉତ୍ପାଦ ସାମଗ୍ରୀର ବିକ୍ରିବଟା ନିମନ୍ତେ ବଜାର ସୃଷ୍ଟି ଆହ୍ବାନ ପାଲଟିଛି। ମଧୁବାବୁ ପେନସନ ଯୋଜନାରେ ପ୍ରତି ହିତାଧିକାରୀଙ୍କୁ ସାଢ଼େ ୩ହଜାର ଟଙ୍କା ଭତ୍ତା ଦିଆଯିବା ନିମନ୍ତେ ବିଜେପି ପ୍ରତିଶ୍ରୁତି ଦେଇଥିବାବେଳେ ସରକାର କେବଳ ୮୦ବର୍ଷରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକ ଏବଂ ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ଭିନ୍ନକ୍ଷମ ହିତାଧିକାରୀଙ୍କୁ ସାଢ଼େ ୩ ହଜାର ଟଙ୍କା ଭତ୍ତା ଦେଉଛନ୍ତି। ବିରୋଧୀ ବିଜେଡି ଓ କଂଗ୍ରେସ ଶାସକ ଦଳକୁ ସମାଲୋଚନା କରୁଥିବାବେଳେ ସମସ୍ତ ବର୍ଗ ହିତାଧିକାରୀଙ୍କୁ ସାଢ଼େ ୩ହଜାର ଟଙ୍କା ଭତ୍ତା ଦେବା ସରକାରଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି। ଚଳିତ ଖରିଫ ଓ ରବି ଋତୁରେ ଚାଷୀଙ୍କ ପାଖରୁ କୁଇଣ୍ଟାଲ ପିଛା ୩୧ଶହ ଟଙ୍କାରେ ସରକାର ଧାନ କିଣିଛନ୍ତି। ମଣ୍ଡିରେ କଟନୀ-ଛଟନୀ ବନ୍ଦ କରିବାକୁ ବିଜେପି ପ୍ରତିଶ୍ରୁତି ଦେଇଥିବାବେଳେ ସରକାର କଟନୀ-ଛଟନୀ ବ୍ୟବସ୍ଥା ବନ୍ଦ କରିପାରିଲେ ନାହିଁ ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି। ଆଗାମୀ ଖରିଫ ଋତୁରେ କଟନୀ-ଛଟନୀ ବନ୍ଦ କରିବାରେ ବିଜେପି ସରକାର କେତେଦୂର ସଫଳ ହେଉଛନ୍ତି ତାହା ବଡ଼ ଆହ୍ବାନ। ୫୮ଟି ଉପଖଣ୍ଡରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ବଜେଟରେ ଅର୍ଥ ବ୍ୟବସ୍ଥା ସହ କ୍ୟାବିନେଟରେ ରିଆତି ଉପରେ ନିଷ୍ପତ୍ତି ନିଆଯାଇଛି। ସମସ୍ତ ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ ପ୍ରତିଶ୍ରୁତି ପୂରଣ ଆଉ ଏକ ଆହ୍ବାନ। ବିଜେପି ତା’ର ସଙ୍କଳ୍ପପତ୍ରରେ ସରକାର ଆସିବାର ୬ମାସ ମଧ୍ୟରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ୧୮୦ଦିନ ନୁହେଁ, ବରଂ ବର୍ଷକ ଭିତରେ ସରକାର ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରିପାରିଲେ ନାହିଁ। ଏହା ନିଶ୍ଚିତ ଭାବେ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଆହ୍ବାନ। ନବୀନ ବାବୁଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଥିବା ନବ ଦାସଙ୍କ ହତ୍ୟାକାଣ୍ଡ ଫାଇଲ କ୍ରାଇମ୍‌ବ୍ରାଞ୍ଚ ପୁନଃ ତଦନ୍ତ କରୁଛି। ଏଥିରେ ସନ୍ଦେହ ପ୍ରକାଶ କରି ସିବିଆଇକୁ ମାମଲା ଦେବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ବିଷୟରେ ନିବେଦନ କରିଛନ୍ତି ନବଙ୍କ ପତ୍ନୀ, ଝିଅ ଏବଂ ପୁଅ ଏବଂ ମୁଖ୍ୟମନ୍ତ୍ରୀ ବି ଆଶ୍ୱାସନା ଦେଇଛନ୍ତି। ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ନିର୍ବାଚନରେ ସଫଳତା ପାଇଛି ବିଜେପି। ଅସ୍ମିତା ଭବନ ପାଇଁ ବଜେଟରେ ୨୦୦ କୋଟି ଦିଆଯାଇଛି। ଏ ଅର୍ଥରେ ଅସ୍ମିତାର ସୁରକ୍ଷା ପାଇଁ କ’ଣ ହେବ ତାହା ସ୍ପଷ୍ଟ ହୋଇପାରିନି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ସତ୍ତ୍ବେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ଏପର୍ଯ୍ୟନ୍ତ ହୋଇପାରିନି। ଚଳିତ ବର୍ଷ ଓଡ଼ିଆ ଅସ୍ମିତା ଓ ଓଡ଼ିଆଙ୍କ ସ୍ବାର୍ଥ ରକ୍ଷା ପାଇଁ ବଡ଼ ପଦକ୍ଷେପ ନେବା ମୋହନ ସରକାରଙ୍କ ପାଇଁ ପ୍ରମୁଖ ଆହ୍ବାନ ହେବ ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି।

Breaking News