ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶୁକ୍ରବାରଠାରୁ ଭାରତୀୟ କ୍ରିକେଟ୍ ଦଳ ୨୦୨୫-୨୭ ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପରେ ତା’ର ପ୍ରଥମ ଶୃଙ୍ଖଳା ଖେଳିବ। ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ୍ର ଟେଷ୍ଟ ଶୃଙ୍ଖଳା ଖେଳିବାକୁ ଯାଉଛି। ପ୍ରଥମ ମ୍ୟାଚ୍ ଶୁକ୍ରବାରଠାରୁ ଲିଡ୍ସର ହେଡିଂଲିରେ ଖେଳାଯିବ। ଇଂଲଣ୍ଡରେ ଭାରତର ଟେଷ୍ଟ ରେକର୍ଡ ଭଲ ନାହିଁ। ଇଂଲଣ୍ଡ ମାଟିରେ ଅଦ୍ୟାବଧି ଉଭୟ ଦଳଙ୍କ ମଧ୍ୟରେ ୧୯ଟି ଟେଷ୍ଟ ଶୃଙ୍ଖଳାରୁ ଇଂଲଣ୍ଡ ୧୪ଟି ଜିତିଥିବା ବେଳେ ଭାରତ ମାତ୍ର ୩ଟି ଜିତିଛି। ୨୦୦୭ରେ ଇଂଲଣ୍ଡରେ ଶେଷଥର ଭାରତ ଟେଷ୍ଟ ଶୃଙ୍ଖଳା ଜିତିଥିଲା। ୧୮ ବର୍ଷ ପରେ ଏହାକୁ ଦୋହରାଇବାର ସୁଯୋଗ ଶୁଭମନ ଗିଲ୍ଙ୍କ ଦଳ ପାଖରେ ରହିଛି। ପ୍ରାୟ ଏକ ଦଶନ୍ଧି ପରେ ୩ କ୍ରିକେଟ୍ ମହାରଥୀ ରବିଚନ୍ଦ୍ରନ ଅଶ୍ବିନ, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବିନା ଭାରତ ଟେଷ୍ଟ କ୍ରିକେଟ୍ ଖେଳିବାକୁ ଯାଉଛି। ତେଣୁ ଏହି ଶୃଙ୍ଖଳା ସହ ଭାରତୀୟ କ୍ରିକେଟ୍ରେ ନୂତନ ଯୁଗ ଆରମ୍ଭହେବ।ପ୍ରଥମ ଟେଷ୍ଟମ୍ୟାଚ୍ରୁ ଉଭୟ ଦଳ ପ୍ରାଧାନ୍ୟ ବିସ୍ତାର କରିବାକୁ ଚାହିଁବେ। ଉଭୟ ଦଳଙ୍କୁ ଦେଖିଲେ ବ୍ୟାଟିଂରେ ଇଂଲଣ୍ଡ ଓ ବୋଲିଂରେ ଭାରତ ଶକ୍ତିଶାଳୀ ମନେହେଉଛି। ଇଂଲଣ୍ଡ ତା’ର ଚୂଡ଼ାନ୍ତ ଏକାଦଶ ଘୋଷଣା କରିସାରିଛି। ବ୍ୟାଟିଂରେ ଏହା ମଜ୍ଭୁତ ଅଛି। ଗତ କିଛିବର୍ଷ ହେଲା ଇଂଲଣ୍ଡ ଆପଣାଇଥିବା ଆକ୍ରମଣାତ୍ମକ ବ୍ୟାଟିଂ ବା ବାଜ୍ବଲ ନୀତି ଜାରିରଖିବ। ଜ୍ୟାକ୍ କ୍ରଲି ଓ ବେନ୍ ଡକେଟ୍ ଇନିଂସ ଓପନ୍ କରିବେ। ଫର୍ମରେ ଥିବା ଓଲି ପୋପ୍ ୩ନଂ ସ୍ଥାନରେ ଖେଳିବେ। ଟେଷ୍ଟ ମାନ୍ୟତାର ଶୀର୍ଷରେ ଥିବା ଜୋ ରୁଟ୍ ୪ନଂ ଓ ୨ୟ ସ୍ଥାନରେ ଥିବା ହ୍ୟାରୀ ବ୍ରୁକ୍ ୫ନଂ ସ୍ଥାନରେ ବ୍ୟାଟିଂକରିବେ। ଅଧିନାୟକ ବେନ୍ ଷ୍ଟୋକ୍ସ ୬ନଂ ଓ ୱିକେଟ୍ ରକ୍ଷକ ଜେମି ସ୍ମିଥ୍ ୭ନଂ ସ୍ଥାନରେ ଖେଳିବେ। ଅଭିଜ୍ଞ କ୍ରିସ୍ ୱକ୍ସଙ୍କ ସହ ବ୍ରାଇଡନ୍ କାର୍ସ ନୂଆ ବଲ୍ ପକାଇବେ। ଜୋସ୍ ଟଙ୍ଗ୍ ୩ୟ ପେସ୍ ବୋଲର ଭାବେ ଖେଳିବେ। ଯୁବ ଅଫ୍ସ୍ପିନର ସୋଏବ୍ ବସିରଙ୍କୁ ସୁଯୋଗ ମିଳିବ। ଇଂଲଣ୍ଡର ବ୍ୟାଟିଂ ପାଇଁ ମୁଣ୍ଡବିନ୍ଧା ପାଲଟି ପାରନ୍ତି ଚମ୍ପିଆନ୍ ଫାଷ୍ଟବୋଲର ଯଶପ୍ରୀତ ବୁମ୍ରା। ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ପରାସ୍ତ ହୋଇଥିଲେ ହେଁ ବୁମ୍ରା ଚମତ୍କାର ବୋଲିଂ କରିଥିଲେ। ୫ଟିରୁ ବୁମ୍ରା ୩ଟି ଟେଷ୍ଟ ଖେଳିବାର ଥିଲେ ହେଁ ତାଙ୍କ ବୋଲିଂ ଶୃଙ୍ଖଳାରେ ନିର୍ଣ୍ଣାୟକ ହୋଇପାରେ। ଯଶସ୍ବୀ ଜୟସୱାଲ ଓ କେ.ଏଲ୍. ରାହୁଲ ଇନିଂସ ଓପନ୍ କରିବେ। ରାହୁଲଙ୍କ ଅଭିଜ୍ଞତା ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହେବ। ଯୁବ ବ୍ୟାଟ୍ସମ୍ୟାନ ସାଇ ସୁଦର୍ଶନ ୩ନଂ ସ୍ଥାନରେ ଖେଳିପାରନ୍ତି।ଅଧିନାୟକ ଶୁଭମନ ଗିଲ୍ ୪ନଂ ଓ ଋଷଭ ପନ୍ତ୍ ୫ନଂ ସ୍ଥାନରେ ଖେଳିବେ। ବ୍ୟାଟିଂକୁ ମଜ୍ଭୁତ କରିବା ପାଇଁ ୬ନଂ ସ୍ଥାନରେ କରୁଣ ନାୟାରଙ୍କୁ ସୁଯୋଗ ମିଳିପାରେ। ୭ନଂ ସ୍ଥାନରେ ରବୀନ୍ଦ୍ର ଜାଡ଼େଜା ଖେଳିବେ। ୮ନଂ ସ୍ଥାନରେ ସାର୍ଦୁଳ ଠାକୁର ଖେଳିବାର ସମ୍ଭାବନା ଅଧିକ ଥିବା ବେଳେ ୱାଶିଂଟନ ସୁନ୍ଦର ଓ କୁଲଦୀପ ଯାଦବ ମଧ୍ୟ ଏହି ଦୌଡ଼ରେ ରହିଛନ୍ତି। ମହମ୍ମଦ ସିରାଜ୍ ଓ ପ୍ରସିଦ୍ଧ କୃଷ୍ଣ ପେସ୍ ବୋଲର ଭାବେ ଖେଳିବେ। ହେଡିଂଲିର ପିଚ୍ ସବୁଜ ଦିଶୁଥିବାରୁ ଉଭୟ ଦଳ ଟସ୍ ଜିତି ବୋଲିଂ କରିବାକୁ ଚାହିଁବେ। ଆରମ୍ଭରୁ ପେସ୍ ବୋଲର ସହାୟତା ପାଇବେ। ମ୍ୟାଚ୍ ସମୟରେ ଅଧିକ ତାପମାତ୍ରା ସହ ଖରା ହେବାର ଥିବାରୁ ସମୟ ଗଡ଼ିବା ସହ ପିଚ୍ ବ୍ୟାଟିଂ ସହାୟକ ହୋଇପାରେ। ୩ୟ ଦିନରୁ ପିଚ୍ରେ ବଲ୍ ସ୍ପିନ୍ କରିପାରେ। ଏଠାରେ ପ୍ରଥମେ ବୋଲିଂ କରିଥିବା ଦଳ ଅଧିକ ମ୍ୟାଚ୍ ଜିତିଛନ୍ତି। ହେଡିଂଲିରେ ଇଂଲଣ୍ଡର ଟେଷ୍ଟ ପ୍ରଦର୍ଶନ ଭଲ ଥିବା ବେଳେ ଭାରତ ତା’ର ପ୍ରଦର୍ଶନରେ ଉନ୍ନତି କରିବାକୁ ଚାହିଁବ। ଶେଷଥର ଭାରତ ହେଡିଂଲିରେ ଟେଷ୍ଟମ୍ୟାଚ୍ ଖେଳିଥିବା ବେଳେ ପ୍ରଥମ ଇନିଂସରେ ୭୮ ରନ୍ରେ ଅଲ୍ଆଉଟ ହୋଇଥିଲା; ଯାହା ଇଂଲଣ୍ଡରେ ଭାରତର ୩ୟ ସର୍ବନିମ୍ନ ସ୍କୋର୍।
More Stories
ଶୁବମନ୍ ଗିଲ୍ ନୂଆ ଟେଷ୍ଟ ଟିମ୍ ଅଧିନାୟକ….
ଆଜିଠୁ ପୁଣି ଆଇପିଏଲ୍ ମ୍ୟାଚ…..
ଇତିହାସ ରଚିଲେ ନୀରଜ ଚୋପ୍ରା…..