ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରେମିକଙ୍କ ନିକଟରୁ ପ୍ରତାରିତ ହେବାପରେ ଜଣେ ଯୁବତୀ ପ୍ରତିଶୋଧ ପରାୟଣ ହୋଇ ଗୁଜରାଟ ସରକାରଙ୍କୁ ମୋଟ ୨୧ ଥର ବୋମା ଧମକ ଦେଇଥିବା ଜଣାପଡିଛି। ତାମିଲନାଡୁ ପୁଲିସ ଏହି ଘଟଣାରେ ରେନି େଜାଶିଲଦା ନାମ୍ନୀ ଯୁବତୀଙ୍କୁ ଗିରଫ କରିଛି। ସୂଚନା ମୁତାବକ ଚେନ୍ନଇର ଏକ ସଫ୍ଟୱେୟାର କମ୍ପାନୀରେ ଚାକିରି କରୁଥିବା ଜୋଶିଲଦା ଦିଭିଜ୍ ପ୍ରଭାକର ନାମକ ଯୁବକଙ୍କୁ ପ୍ରେମ କରୁଥିଲେ। ଜୋଶିଲଦାଙ୍କୁ ବିବାହ କରିବେ ବୋଲି ଦିଭିଜ୍ ନିର୍ଭର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ତେବେ ଚଳିତବର୍ଷ ପ୍ରାରମ୍ଭରେ ଦିଭିଜ୍ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାରୁ ଜୋଶିଲଦା ପ୍ରତିଶୋଧ ପରାୟଣ ହୋଇପଡିଥିଲେ। ଦିଭିଜ୍ଙ୍କୁ ହରଡଘଣାରେ ପକାଇବାକୁ ସେ ଷଡଯନ୍ତ୍ର ରଚିଥିଲେ। ନିଜର କମ୍ପ୍ୟୁଟର ଜ୍ଞାନକୌଶଳକୁ ଆଧାର କରି ଜୋଶିଲଦା ଦିଭିଜ୍ଙ୍କ ନାମରେ ନକଲି ଇ-ମେଲ ଆଇଡି, ଭିପିଏନ, ଭର୍ଚୁଆଲ ମୋବାଇଲ ନମ୍ବର ଏବଂ ଡାର୍କ ୱେବ ପ୍ରସ୍ତୁତ କରି ଗୁଜରାଟର ବିଭିନ୍ନ ସ୍ଥାନକୁ ବୋମା ଧମକ ପଠାଇଥିଲେ। ଏହି ସ୍ଥାନଗୁଡିକ ମଧ୍ୟରେ ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ, ବିଜେ ମେଡିକାଲ କଲେଜ ଏବଂ ଏକାଧିକ ସ୍କୁଲ ସାମିଲ ଥିଲା। ଏପରିିକି ଜୁନ ୧୨ରେ ଏୟାର ଇଣ୍ଡିଆ ବିମାନକୁ ବିସ୍ଫୋରଣ ଜରିଆରେ ଉଡାଇ ଦିଆଯାଇଛି ବୋଲି ଗୋଟିଏ ଇ-ମେଲରେ ଉଲ୍ଳେଖ କରାଯାଇଥିଲା। ଜୋଶିଲଦା କେବଳ ଗୁଜରାଟ ନୁହେଁ, ମହାରାଷ୍ଟ୍ର, ଦିଲ୍ଲୀ, ରାଜସ୍ଥାନ, ତାମିଲନାଡୁ ଓ କେରଳକୁ ମଧ୍ୟ ଧମକପୂର୍ଣ୍ଣ ଇ-ମେଲ ପଠାଇଥିଲେ। ଏ ପ୍ରସଙ୍ଗରେ ଏକାଧିକ ଏତଲା ଦାଏର କରାଯାଇଥିଲା। ତାମିଲନାଡୁ ପୁଲିସ ଶେଷରେ ମଙ୍ଗଳବାର ଜୋଶିଲଦାଙ୍କୁ ଚେନ୍ନଇସ୍ଥିତ ବାସଭବନରୁ ଗିରଫ କରିବାରେ ସଫଳ ହୋଇଛି।
More Stories
କେନ୍ଦ୍ର ସରକାର ଆଠଟି ବିଲ ଆଗତ କରିବାକୁ ପ୍ରସ୍ତୁତ, ହଟ୍ଟଗୋଳ ଆଶଙ୍କା…..
ଆଧାରକାର୍ଡକୁ ନେଇ ବିରାଟ ପ୍ରଶ୍ନବାଚୀ….
ଆଜି ପୃଥିବୀକୁ ଫେରିବେ ଶୁଭାଂଶୁ…..