ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ଡକ୍ଟର ଇରାଜ ଏଲାହି କହିଛନ୍ତି, କତର ଓ ଇରାକ ସ୍ଥିତ ଆମେରିକା ସେନା ଘାଟି ଉପରେ ଇରାନର ଆକ୍ରମଣ ଅପ୍ରତ୍ୟାଶିତ। ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି, ଆଜି ପର୍ଯ୍ୟନ୍ତ ଇତିହାସରେ କୌଣସି ରାଷ୍ଟ୍ର ଆମେରିକାର ସେନା ଘାଟିକୁ ଟାର୍ଗେଟ୍ କରିନାହାନ୍ତି। ଇରାନ ତାହା କରି ଦେଖାଇ ଦେଇଛି ଏବଂ ଇରାନ ହିଁ ଆମେରିକା ଉପରେ ପ୍ରହାର କରିପାରିବ। ଆମେରିକା ଏହାର ବେଆଇନ କାର୍ଯ୍ୟାନୁଷ୍ଠାନକୁ ପୁଣିଥରେ ଦୋହରାଇଲେ ଆହୁରି ଭୟଙ୍କର ଜବାବ ପାଇବ ବୋଲି ଇରାନ ରାଷ୍ଟ୍ରଦୂତ ଚେତାବନୀ ଦେଇଛନ୍ତି। ଇସ୍ରାଏଲ ସହ ଯୁଦ୍ଧରେ ଆମେରିକା ପ୍ରବେଶ କରିବ ବୋଲି ଇରାନ ଆଗୁଆ ଆକଳନ କରିଥିଲା ଏବଂ ସେହି ଅନୁଯାୟୀ ପ୍ରସ୍ତୁତ ଥିଲା ବୋଲି ଏଲାହି କହିଛନ୍ତି। ଉଲ୍ଲେଖଯୋଗ୍ୟ, ସୋମବାର କତର ଓ ଇରାକ ସ୍ଥିତ ଆମେରିକାର ବାୟୁସେନା ଘାଟି ଉପରେ ଇରାନ ଶକ୍ତିଶାଳୀ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ସେହିପରି ଇସ୍ରାଏଲର ପ୍ରତିଟି ଆକ୍ରମଣର ଭୟାନକ ଜବାବ ମିଳିବ ବୋଲି ଏଲାହି କହିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କେବଳ ଜନବସତି ଅଞ୍ଚଳ, ଆମ୍ବୁଲାନ୍ସ, ହସ୍ପିଟାଲକୁ ଟାର୍ଗେଟ କରି ଆକ୍ରମଣ କରୁଛନ୍ତି ବୋଲି ଏଲାହି କହିଛନ୍ତି। ଇରାନ ରାଷ୍ଟ୍ରଦୂତ ଦାବି କରିଛନ୍ତି ଯେ ଇସ୍ରାଏଲର ଆଇରନ ଡୋମ୍ ଏବଂ ଅନ୍ୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ ତେହରାନରୁ ନିକ୍ଷେପ ହୋଇଥିବା କ୍ଷେପଣାସ୍ତ୍ର ଟାର୍ଗେଟ୍ରେ ପହଞ୍ଚି ପାରିଛି।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..