ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବନ ବିଭାଗର ପୂର୍ବତନ ଉପ ନିର୍ଦେଶକ ତଥା ମୃତ ବସନ୍ତ କୁମାର ପ୍ରଧାନଙ୍କ ପତ୍ନୀ ସ୍ବର୍ଣ୍ଣଲତା ପ୍ରଧାନଙ୍କ ନାଁରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ଲାଗି ଭିଜିଲାନ୍ସ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଜ୍ୟାପ୍ତି ସମ୍ପତ୍ତି ମଧ୍ୟରେ କଟକ ତୁଳସୀପୁରରେ ଥିବା ଅଟ୍ଟାଳିକା, ଭୁବନେଶ୍ବର ଲକ୍ଷ୍ମୀସାଗରରେ ଥିବା କୋଠା, କଟକ ଆଠଗଡ଼ରେ ଥିବା ୫.୨ ଏକର ଫାର୍ମ ହାଉସ ଏବଂ ବ୍ୟାଙ୍କ ଓ ଡାକ ଜମା ରହିଛି। ଭିଜିଲାନ୍ସ ସୂତ୍ରରୁ ପ୍ରକାଶ, ଆୟବହିର୍ଭୂତ ଠୁଳ ଅଭିଯୋଗରେ ଭୁବନେଶ୍ବର ସୋସିଆଲ ଫରେଷ୍ଟ୍ରିର ତତ୍କାଳୀନ ଉପ ନିର୍ଦେଶକ ବସନ୍ତ କୁମାର ପ୍ରଧାନଙ୍କ ବାସଭବନ ସମେତ କାର୍ଯ୍ୟାଳୟ ଓ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିଲା। ଆୟ ବହିର୍ଭୁତ ସମ୍ପତ୍ତିର ଉତ୍ସ ଦର୍ଶାଇ ନ ପାରିବାରୁ ଭିଜିଲାନ୍ସ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରିଥିଲା। ସ୍ତ୍ରୀ ସ୍ବର୍ଣ୍ଣପ୍ରଭାଙ୍କୁ ମଧ୍ୟ ଭିଜିଲାନ୍ସ ଅଭିଯୁକ୍ତ ଦର୍ଶାଇଥିଲା। ମାମଲାର ବିଚାର କରି ଅଦାଲତ ବସନ୍ତଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ। ପରେ ଭିଜିଲାନ୍ସ ତାଙ୍କର ଜବତ ସମ୍ପତ୍ତି ବାଜ୍ୟାପ୍ତି ଲାଗି ଅଦାଲତଙ୍କ ଅନୁମତି ଲୋଡ଼ିଥିଲା। ଇତିମଧ୍ୟରେ ପୂର୍ବତନ ଉପ ନିର୍ଦେଶକ ଶ୍ରୀ ପ୍ରଧାନଙ୍କ ମୃତ୍ୟୁ ହୋଇସାରିଛି। ତଦନ୍ତକାରୀ ସଂସ୍ଥାର ଆବେଦନକୁ ବିଚାର କରି ଭୁବନେଶ୍ବର ସ୍ବତନ୍ତ୍ର ଅଦାଲତ (ଭିଜିଲାନ୍ସ) ଜଜ୍ ଆଶାପୂର୍ଣ୍ଣା ମହାପାତ୍ର ସ୍ବର୍ଣ୍ଣପ୍ରଭାଙ୍କ ନାଁରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ଲାଗି ଆଦେଶ ଦେଇଛନ୍ତି।






More Stories
ଅଧାରେ ଅଟକିଲା ରୁକୁଣା ରଥ: ଆଜି ଅପରାହ୍ନରେ ରଥଟଣା…..
ରିଙ୍କୁ ଉପଅଧିନାୟକ….
ପଶ୍ଚିମବଙ୍ଗ ଯିବେ ମୁଖ୍ୟମନ୍ତ୍ରୀ…..