Report Card Odisha

| Daily Odia News

ନିର୍ମାଣହେବ ନୂତନ ଲୋକସେବା ଭବନ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ନିର୍ମାଣ ହେବ ନୂତନ ଲୋକସେବା ଭବନ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଲୋକସେବା ଭବନ କିପରି ହେବ ତା’ର ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିବାର ଦାୟିତ୍ୱ ଓଡ଼ିଶା ସେତୁ ଓ ନିର୍ମାଣ ନିଗମକୁ ଦିଆଯାଇଛି। ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ପକ୍ଷରୁ ଏହାର ପରିବର୍ଦ୍ଧିତ ଯୋଜନାର ମାଷ୍ଟର ପ୍ଲାନ୍‌ ତିଆରି ମଧ୍ୟ କରାଯାଉଛି ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି।ବିଜେଡି ସଦସ୍ୟ ସୁବାସିନୀ ଜେନାଙ୍କ ପକ୍ଷରୁ ବିଧାନସଭାରେ ପଚରାଯାଇଥିବା ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ହରିଚନ୍ଦନ କହିଛନ୍ତି, ପ୍ରସ୍ତୁତ ହେଉଥିବା ନୂତନ ଲୋକସେବା ଭବନର ମାଷ୍ଟର ପ୍ଲାନ୍‌ ଅନୁମୋଦନ ହେବାପରେ ପରବର୍ତ୍ତୀ ପଦକ୍ଷେପ ଅନୁଯାୟୀ ବିସ୍ତୃତ ବ୍ୟୟ ଅଟକଳ କରାଯିବ। ଏହାପରେ ତାହା ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ। ବର୍ତ୍ତମାନର ସଚିବାଳୟ ବା ଲୋକସେବା ଭବନ କୋଠା ୬୮ ବର୍ଷ ପୁରାତନ। ଏହି ପୁରାତନ କୋଠା ପରିସରରେ ଗୁରୁତର ପାର୍କିଂ ସମସ୍ୟା ପରିଲକ୍ଷିତ ହେଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ୧୯୫୯ ନଭେମ୍ବର ୧୨ରେ ତତ୍କାଳୀନ ସ୍ବରାଷ୍ଟ୍ର ମନ୍ତ୍ରୀ ଗୋବିନ୍ଦ ବଲ୍ଲଭ ପନ୍ତ ରାଜ୍ୟ ସଚିବାଳୟକୁ ଉଦ୍‌ଘାଟନ କରିଥିଲେ। ପରେ ୨୦୧୯ ଜୁଲାଇ ୩୦ରେ ସଚିବାଳୟ ନାମକୁ ପରିବର୍ତ୍ତନ କରାଯାଇ ଲୋକସେବା ଭବନ ନାମରେ ନାମିତ କରାଯାଇଥିଲା।

Breaking News