ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଛି। ଏହା ପଶ୍ଚିମ ଦିଗକୁ ଗତିକରି ୨୭ ତାରିଖ ଶନିବାର ସକାଳେ ପୁରୀ ଏବଂ କଳିଙ୍ଗପଟନମ୍ ମଧ୍ୟରେ ଗୋପାଳପୁର ନିକଟ ଦେଇ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ନବରଙ୍ଗପୁର ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଓ ଘଡଘଡି ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ବର୍ଷା ସହିତ ୪୦-୫୦ କି.ମି. ବେଗରେ ପବନ ହେବା ସହ ମଝିରେ ମଝିରେ ୬୦କି.ମି. ବେଗରେ ଝଟ୍କା ପବନ ବହିବ। ସେହିପରି କୋରାପୁଟ, ମାଲକାନାଗିରି, ରାୟଗଡା, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୨୮ ତାରିଖରେ ଅବପାତ ଦକ୍ଷିଣ ଓଡ଼ିଶା ଅତିକ୍ରମ କରିବା ପରେ ରାଜ୍ୟରେ ବର୍ଷାର ବିସ୍ତୃତି କମିବ। ଏହାସତ୍ତ୍ୱେ ୧୨ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ନିଂ ଜାରି କରାଯାଇଛି। ମୁଖ୍ୟତଃ ଉତ୍ତର ଓ କେନ୍ଦ୍ରୀୟ ଉପକୂଳବର୍ତ୍ତୀ ଜିଲ୍ଲାକୁ ସତର୍କତା ଜାରି ହୋଇଥିବା ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ୨୯ ତାରିଖରୁ ରାଜ୍ୟରେ ବର୍ଷା କମିବ। ହେଲେ ଅକ୍ଟୋବର ୧ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବାରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ଅପରପକ୍ଷେ ଅବପାତ ପ୍ରଭାବରେ ଶୁକ୍ରବାର ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଥିବାବେଳେ ୯ ଜିଲ୍ଲାରେ ଅତିପ୍ରବଳ ବର୍ଷା ରେକର୍ଡ କରାଯାଇଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ସର୍ବାଧିକ ୬.୩ ମି.ମି ବର୍ଷା ହୋଇଛି। ସେହିପରି ଭଦ୍ରକ ଜିଲ୍ଲାର ଚାନ୍ଦବାଲି, କେନ୍ଦ୍ରାପଡ଼ା ଜିଲ୍ଲାର ଆଳି, ଯାଜପୁର ଜିଲ୍ଲାର ବିଞ୍ଝାରପୁର, କଟକ ଜିଲ୍ଲାର ମାହାଙ୍ଗା ଓ କଟକ ସମେତ ଢେଙ୍କାନାଳ, ନୟାଗଡ, ରାୟଗଡା, ନୂଆପଡ଼ା, ବରଗଡ଼ ଓ ଦେବଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
More Stories
ଗାନ୍ଧୀ ଜୟନ୍ତୀରୁ ଜନ ସମ୍ପର୍କ ପଦଯାତ୍ରା…..
କଟକରେ ଭାଙ୍ଗିଲା ତୋରଣ…..
ଗଭୀର ଅବପାତରେ ପରିଣତ ଲଘୁଚାପ,ପ୍ରବଳ ବର୍ଷିବ…..