ରିପୋର୍ଟ କାର୍ଡ / ଭୁବନେଶ୍ୱର
ବର୍ଷାରେ ଭିଜିବ ଦଶହରା। ଲଘୁଚାପ ପ୍ରଭାବରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଅକ୍ଟୋବର ୨ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବା ନେଇ ସମ୍ଭାବନା ରହିଛି। ଏହାର ପ୍ରଭାବରେ ବୁଧବାରଠାରୁ ବର୍ଷା ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ୱିବେଦୀ ସୂଚନା ଦେଇଛନ୍ତି। ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ସହ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପୂର୍ଣ୍ଣିବଳୟ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ଘଣ୍ଟାରେ ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ବିଶେଷକରି ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, ଗଜପତି ଓ ଗଞ୍ଜାମ ଆଦି ୮ଟି ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଲଘୁଚାପ ସୃଷ୍ଟି ହେବା ପରେ ୨ତାରିଖରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ ଜିଲା ଯଥା-ମାଲକାନଗିରି, କୋରାପୁଟ, ରାୟଗଡ଼ା ସହ କନ୍ଧମାଳ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ନିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥିସହ ବିଜୁଳି ଘଡ଼ଘଡ଼ି ଏବଂ ୪୦ରୁ ୫୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଅପରପକ୍ଷେ ଗତ ୨୪ ଘଣ୍ଟାରେ କେତେକ ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ହୋଇଥିବାବେଳେ କନ୍ଧମାଳର ରାଇକିଆରେ ସର୍ବାଧିକ ୪୧.୬ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି।






More Stories
ଏଣିକି ବର୍ଷକୁ ୪ଟି ପରୀକ୍ଷା…..
ରାଜ୍ୟରେ ୨୦ଲକ୍ଷ ଭୋଟରଙ୍କ ନାଁ କଟିଲା…..
ବଢ଼ୁଛି ନଦୀମାଙ୍କର ଜଳସ୍ତର…..