Report Card Odisha

| Daily Odia News

କରୁର୍ ଦଳାଚକଟା ଘଟଣା:ତଦନ୍ତ ପାଇଁ ଏସ୍‌ଆଇଟି ଗଠନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତାମିଲ ସୁପରଷ୍ଟାର ବିଜୟଙ୍କ ନେତୃତ୍ବାଧୀନ ରାଜନୈତିକ ଦଳ ତାମିଲାଗା ଭେଟ୍ଟ୍ରି କାଝାଗମ୍ (ଟିଭିକେ) ରାଲିରେ ହୋଇଥିବା ଦଳାଚକଟା ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ କରିଛନ୍ତି ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ। ପୀଠ ବିଚାରପତି ସେନ୍ଥିଲକୁମାରଙ୍କ ନିର୍ଦେଶ ଅନୁଯାୟୀ ବରିଷ୍ଠ ଆଇପିଏସ୍‌ ଆଶ୍ରା ଗର୍ଗଙ୍କ ନେତୃତ୍ବରେ ଏହି ଏସଆଇଟି ଗଠନ କରାଯାଇଛି। ଏସଆଇଟିରେ ନମକ୍କାଲ ଏସ୍‌ପିଙ୍କୁ ସାମିଲ କରାଯାଇଛି। ଏହି ଦଳାଚକଟା ଘଟଣାରେ ଅଭିଯୁକ୍ତ ଟିଭିକେ ନେତା ବିଜି ଆନନ୍ଦ ଓ ସିଟିଆର ନିର୍ମଳ କୁମାରଙ୍କ ଆଗୁଆ ଜାମିନ ଆବେଦନ ରାୟକୁ ହାଇକୋର୍ଟ ସଂରକ୍ଷଣ ରଖିଛନ୍ତି। ଅନ୍ୟପଟେ ଟିଭିକେ ଜିଲା ସମ୍ପାଦକ ଏନ୍ ସତୀଶ କୁମାରଙ୍କ ଆଗୁଆ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ଶୁକ୍ରବାର ହାଇକୋର୍ଟଙ୍କ ପୀଠ ଏହି ଦଳାଚକଟା ଘଟଣା ପାଇଁ ଟିଭିକେ ନେତାଙ୍କୁ ସମାଲୋଚନା କରିଛନ୍ତି। ଦଳଚକଟା ଘଟଣା ପରେ ବିଜୟ ଘଟଣାସ୍ଥଳ ଛାଡି ଚାଲିଯାଇଥିବାରୁ ତାଙ୍କୁ ମଧ୍ୟ ହାଇକୋର୍ଟ ସମାଲୋଚନା କରିଛନ୍ତି। ବିଚାରପତି ସେନ୍ଥିଲକୁମାର କହିଛନ୍ତି ଯେ ଏହି ରାଜନୈତିକ ଶୋଭାଯାତ୍ରାକୁ ଠିକ୍ ଭାବେ ପରିଚାଳନା କରାଯାଇ ନଥିଲା। ଏହା ସହିତ ଘଟଣାସ୍ଥଳରୁ ବିଜୟ ପଳାୟନ କରିବା ତାଙ୍କ ନୀଚ ମାନସିକତାର ପରିଚୟ ଦେଉଛି। ଟିଭିକେ ଓ ପୁଲିସ ଶୋଭାଯାତ୍ରା ଆୟୋଜନ କରିଥିବାରୁ ସେମାନଙ୍କର ଦାୟିତ୍ବବୋଧ ରହିବା ଦରକାର। ଏହା ସହିତ ବିଜୟଙ୍କ ରୋଡ ଶୋ’ ବେଳେ ଲୋକଙ୍କୁ ନିୟନ୍ତ୍ରଣ କରିବାରେ ଦଳ କାହିଁକି ବିଫଳ ହେଲା ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି। ଆଜିର ଶୁଣାଣି ସମୟରେ ହାଇକୋର୍ଟ ରାଜ୍ୟରେ ସାମୟିକ ଭାବେ କୌଣସି ପ୍ରକାର ରାଜନୈତିକ ଶୋଭାଯାତ୍ରା ଆୟୋଜନ ଉପରେ ରୋକ ଲଗାଇଛନ୍ତି। ରାଜନୈତିକ ଶୋଭାଯାତ୍ରା ଆୟୋଜନ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସିଡ୍ୟୁୟର (ଏସ୍‌ଓପି) ଆସିବା ପର୍ଯ୍ୟନ୍ତ ତାମିଲନାଡୁର କୌଣସି ପ୍ରକାର ରାଜନୈତିକ ସଭା ଓ ଶୋଭାଯାତ୍ରା ଆୟୋଜନ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଦଳାଚକଟା ଘଟଣାର ସିବିଆଇ ତଦନ୍ତ ଦାବି କରି ବିଜେପି ପକ୍ଷରୁ ହୋଇଥିବା ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ସୂଚନାଯୋଗ୍ୟ ସେପ୍ଟେମ୍ବର ୨୭ ତାରିଖରେ ଟିଭିକେ ମୁଖ୍ୟ ବିଜୟଙ୍କ ପକ୍ଷରୁ ତାମିଲନାଡରୁ କରୁର୍‌ରେ ଏକ ରାଲି ହୋଇଥିଲା। ଏହି ରାଲିରେ ଦଳଚକଟା ହୋଇ ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା। ରାଜ୍ୟ ସରକାର ଘଟଣାର ତଦନ୍ତ ପାଇଁ ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଅରୁଣା ଜଗଦୀଶନଙ୍କୁ ନେଇ ଜଣକିଆ କମିସନ ଗଠନ କରିଛନ୍ତି।

Breaking News