Report Card Odisha

| Daily Odia News

ଆଜି ରାଜ୍ୟବ୍ୟାପୀ ଓକିଲଙ୍କ ପେନ୍‌ ଡାଉନ୍‌…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଗଞ୍ଜମ ଜିଲ୍ଲାର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣାକୁ ରାଜ୍ୟ ବାର୍‌ କାଉନସିଲ ତୀବ୍ର ନିନ୍ଦା କରିଛି। ପୀତବାସଙ୍କ ହତ୍ୟା ପ୍ରତିବାଦରେ ୮ ତାରିଖ ତଥା ବୁଧବାର ରାଜ୍ୟବ୍ୟାପୀ କଲମଛାଡ଼ ଆନ୍ଦୋଳନ କରିବାକୁ କାଉନସିଲ ପକ୍ଷରୁ ଘୋଷଣା କରାଯାଇଛି। ପୀତବାସଙ୍କ ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ସହ ଦୋଷୀଙ୍କୁ ଗିରଫ ଓ ଘଟଣାର ନ୍ୟାୟିକ ତଦନ୍ତ କରାଯିବାକୁ ବାର୍‌ କାଉନସିଲ ପକ୍ଷରୁ ଏକ ବିବୃତି ଜରିଆରେ ଦାବି କରାଯାଇଛି। ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ଓ ସମ୍ପାଦକ ଜେ.କେ. ସାମନ୍ତସିଂହାର କହିଛନ୍ତି ଯେ, ରାଜ୍ୟ ବାର୍‌ କାଉନସିଲର ସର୍ବାଧିକ ଭୋଟରେ ନିର୍ବାଚିତ ସଦସ୍ୟ ପୀତବାସଙ୍କୁ ଦୁଇଜଣ ଅଜଣା ଯୁବକ ତାଙ୍କ ଘର ସାମ୍ନାରେ ଯେଭଳି ଅମାନୁଷିକ ଭାବେ ଗୁଳି କରି ହତ୍ୟା କଲେ ତା’ର ପ୍ରତିବାଦରେ ରାଜ୍ୟବ୍ୟାପୀ ଆଇନଜୀବୀ କଲମଛାଡ଼ ଆନ୍ଦୋଳନ କରିବେ। ରାଜ୍ୟର ସବୁ ବାର୍‌ର ଆଇନଜୀବୀ ଏହି କାର୍ଯ୍ୟରୁ ନିବୃତ ରହିବା ସ୍ୱର୍ଗତ ପୀତବାସଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ରାଜ୍ୟ ବାର୍‌ କାଉନସିଲ ଦଳର ପ୍ରତିନିଧିଗଣ ବ୍ରହ୍ମପୁର ଗସ୍ତ କରି ଫେରିବା ପରେ ସେ କହିଛନ୍ତି, ରାଜ୍ୟ ସରକାର ତୁରନ୍ତ ଦୋଷୀକୁ ଗିରଫ କରିବା ସହିତ ଏକ କୋଟି ଟଙ୍କା ପ୍ରଦାନ କରନ୍ତୁ। ଏହି ଘଟଣାରେ ଭୁବନେଶ୍ବର ବାର୍‌ ଆସୋସିଏସନ ପକ୍ଷରୁ ଜାରି ପ୍ରେସ୍‌ ବିବୃତି ଜରିଆରେ ଆସନ୍ତାକାଲି କଲମ ଛାଡ଼ ଆନ୍ଦାଳନ କରାଯିବା ସହ ଅପରାହ୍ଣରେ ଆସୋସିଏସନ୍‌ କୋଠା ସମ୍ମୁଖରେ ମହମବତି ଶୋଭାଯାତ୍ରା କରାଯିବ ବୋଲି ସୂଚନା ଦିଆଯାଇଛି। ପୀତବାସ ନିିଖିଳ ଓଡ଼ିଶା ଆଇନଜୀବୀ ସଂଘର ପରାମର୍ଶଦାତା ଥିଲେ। ତାଙ୍କୁ ଯେପରି ନିର୍ମମ ଭାବେ ହତ୍ୟା କରାଗଲା, ତାହାକୁ ସଂଘ କଡ଼ା ଭାଷାରେ ନିନ୍ଦା କରିଛି। ସଂଘର ସଭାପତି ଆଇନଜୀବୀ ଶିଶିର କୁମାର ପାଢ଼ୀ, ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ନନ୍ଦ ଓ କାର୍ଯ୍ୟକାରୀ ସଭାପତି ଜ୍ୟୋତିପ୍ରକାଶ ରଥ ପ୍ରମୁଖ କ୍ଷୋଭ ପ୍ରକାଶ କରିବା ସହ ଏହି ନିର୍ମମ ହତ୍ୟା ନ୍ୟାୟିକ ବ୍ୟବସ୍ଥା ଓ ସ୍ବାଧୀନତା ଉପରେ କୁଠାରାଘାତ କରିଥିବା ବର୍ଣ୍ଣନା କରିଛନ୍ତି। ଏଥିସହ ଯଥାଶୀଘ୍ର ଆଡ଼ଭୋକେଟ ‌େ‌ପ୍ରାଟେକସନ୍‌ ଆକ୍ଟ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ପାଖରେ ଦାବି ଦୋହରାଇଛନ୍ତି। ଏହି ଘଟଣାର ପ୍ରତିବାଦରେ ଆଇନଜୀବୀମାନେ ବୁଧବାର କଲମ ଛାଡ଼ ଆନ୍ଦୋଳନ ପାଇଁ ସଂଘ ପକ୍ଷରୁ ଆହ୍ବାନ ଦିଆଯାଇଛି। ହାଇକୋର୍ଟ ବାର୍‌ ପକ୍ଷରୁ ନିନ୍ଦା ଆଇନଜୀବୀ ଶ୍ରୀ ପଣ୍ଡାଙ୍କୁ ହତ୍ୟା ଘଟଣାରେ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏସନ୍‌ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ତୁରନ୍ତ ହତ୍ୟାକାରୀଙ୍କୁ ଗିରଫ କରିବା ସହ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ବାର୍‌ ପକ୍ଷରୁ ସଭାପତି ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର ଏବଂ ସମ୍ପାଦକ ଆଇନଜୀବୀ ଅଭିଜିତ୍‌ ପଟ୍ଟନାୟକ ଦାବି କରିଛନ୍ତି। ରାଜ୍ୟ ପ୍ରଗତିଶୀଳ ଆଇନଜୀବୀ ସଂଘର ସଭାପତି କ୍ଷୀରୋଦ ରାଉତ ଓ ସାଧାରଣ ସମ୍ପାଦକ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ତୀବ୍ର ନିନ୍ଦା କରିଛନ୍ତି। ରାଜ୍ୟରେ ଆଇନଜୀବୀମାନଙ୍କ ଉପରେ ଦିନକୁ ଦିନ ଆକ୍ରମଣ ଘଟଣା ବୃଦ୍ଧି ପାଉଥିବାରୁ ଆଇନଜୀବୀମାନଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବାକୁ ଦୀର୍ଘଦିନ ଧରି ଦାବି ହେଉଥିଲେ ମଧ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ସଂଘ ଅଭିଯୋଗ କରିଛି। ସ୍ବର୍ଗତ ପଣ୍ଡାଙ୍କ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ସହ ପରିବାରକୁ ସହାୟତା ରାଶି ଯୋଗାଇ ଦେବାକୁ ଦାବି

Breaking News