Report Card Odisha

| Daily Odia News

ବିବାହର ପ୍ରତିଶ୍ରୁତି ଦେଇ ମହିଳା ଏସ୍‌ଆଇଙ୍କୁ ବଳାତ୍କାର……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜଣେ ମହିଳା ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ)ଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଅଭିଯୋଗରେ ଭୁବନେଶ୍ୱର ମହିଳା ଥାନା ପୋଲିସ ବୁଧବାର ଜଣେ ସୁବେଦାରଙ୍କୁ ଗିରଫ କରିଛି। ସେ ହେଲେ ତୋଷବନ୍ତ ଆଚାର୍ଯ୍ୟ। ତାଙ୍କ ଘର କନ୍ଧମାଳ ଜିଲ୍ଳାରେ ହୋଇଥିବାବେଳେ ସେ କଳାହାଣ୍ଡି ଜିଲ୍ଳାରେ କାର୍ଯ୍ୟରତ ଅଛନ୍ତି। ପୋଲିସ ପକ୍ଷରୁ ତାଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ ତୋଷବନ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏଥିସହ ପୀଡ଼ିତା ଏସ୍‌ଆଇଙ୍କ ଡାକ୍ତରୀମାଇନା ପରେ ବୟାନ ରେକର୍ଡ କରାଯାଇଥିବା ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତା ଏସ୍‌ଆଇ ଜଣକ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି। ପୀଡ଼ିତା ଓ ତୋଷବନ୍ତ ୮ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ। ଉଭୟ କଲେଜରେ ପଢ଼ୁଥିବା ବେଳେ ସମ୍ପର୍କ ଆରମ୍ଭ ହୋଇଥିଲା। ପୀଡ଼ିତାଙ୍କ ସିନିୟର ଥିଲେ ତୋଷବନ୍ତ। ଅଭିଯୁକ୍ତ ତୋଷବନ୍ତ କେନ୍ଦ୍ରାପଡ଼ା ଜିଲ୍ଳାରେ ପ୍ରୋବେଶନ ପିରିୟଡ୍‌ରେ ଥିବାବେଳେ ପୀଡ଼ିତାଙ୍କ ସହ ଅଧିକ ନିକଟତର ହୋଇଥିଲେ। ସେ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବିଭିନ୍ନ ସ୍ଥାନକୁ ନେଇ ଶାରୀରିକ ସମ୍ପର୍କ ରଖିଥିଲେ। ଫଳରେ ଏସ୍‌ଆଇ ଜଣକ ଗର୍ଭବତୀ ହୋଇଥିଲେ। ପୀଡ଼ିତା ଜଣକ ବିବାହ କରିବାକୁ କହିବାରୁ ତୋଷବନ୍ତ ଏହାକୁ ଏଡ଼ାଇ ଦେଇଥିଲେ। ଏନେଇ କିଛିଦିନ ତଳେ ମହିଳା ଥାନାରେ ପୀଡ଼ିତା ଏସ୍‌ଆଇ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତିକରି ମହିଳା ଥାନା ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା।

Breaking News