ରିପୋର୍ଟ କାର୍ଡ / ଗଞ୍ଜାମ
ବରିଷ୍ଠ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯିବା ପରେ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ରାଜନୈତିକ ଉଦ୍ଦେଶ୍ୟ ରଖି ବିକ୍ରମଙ୍କୁ ଗିରଫ କରାଯାଇଛି ବୋଲି ବିଜେଡି ଅଭିଯୋଗ କରିଛି।ଅନ୍ୟପକ୍ଷରେ, ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ୪୪ ଜଣ ଓକିଲ ଲଢ଼ିବେ। ଏନେଇ ସେମାନେ ଆଜି କୋର୍ଟରେ ୱକାଲାତନାମା ଦାଖଲ କରିଛନ୍ତି। ବିକ୍ରମଙ୍କ ସହ କର୍ପୋରେଟର ମଳୟ ବିଷୋୟୀ ଏବଂ ବିଜେଡି ନେତା ମଦନ ଦଳେଇଙ୍କ ପାଇଁ ମଧ୍ୟ ଏହି ଓକିଲମାନେ ଲଢ଼ିବେ। ସେମାନଙ୍କ ଜାମିନ ପାଇଁ ଆଜି କୋର୍ଟରେ ଆବେଦନ କରାଯିବାର କାର୍ଯ୍ୟକ୍ରମ ରହିଛି।ଅକ୍ଟୋବର ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଷଡ଼ଯନ୍ତ୍ରରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ପୂର୍ବତନ ମେୟର ଶିବ ଶଙ୍କର ଦାଶ (ପିଣ୍ଟୁ)ଙ୍କ ସମେତ ୧୨ ଜଣଙ୍କୁ ପୋଲିସ ଗିରଫ କରିଛି। ହତ୍ୟାକାଣ୍ଡ ପଛରେ ରାଜନୈତିକ, ବ୍ୟବସାୟିକ ଓ ବ୍ୟକ୍ତିଗତ ଶତ୍ରୁତା ରହିଥିବା ଏସପି ଡା. ସର୍ବଣା ବିବେକ ଏମ୍. ସୂଚନା ଦେଇଛନ୍ତି।ସଦ୍ୟ ଖବର ଅନୁଯାୟୀ, ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁନୀଲ ହୋତା। ଅଭିଯୁକ୍ତମାନଙ୍କୁ ଜୟପୁରର ଏକ ଫାର୍ମ ହାଉସରେ ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସୁନୀଲଙ୍କୁ କୋର୍ଟ ଚାଲାଣ ପରେ ଜେଲ୍ ପଠାଯାଇଛି ଏବଂ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୧୩ରେ ପହଞ୍ଚିଛି। ଅନ୍ୟ ତିନିଜଣ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..