ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜଣେ ମହିଳା ଆୟୁଷ (AYUSH) ଡାକ୍ତରଙ୍କୁ ପ୍ରେମ ନିବେଦନ କରି ଲିଫ୍ଟ ଦେବା ବାହାନାରେ ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଜଣେ ପୁରୁଷ ଡାକ୍ତରଙ୍କୁ ଏୟାରଫିଲ୍ଡ ଥାନା ପୋଲିସ୍ ମଙ୍ଗଳବାର ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ହେଉଛି ଡା. କ୍ଷମା ସେଠୀ। ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାଟି ମଙ୍ଗଳବାର ଏୟାରଫିଲ୍ଡ ଅଞ୍ଚଳରେ ଘଟିଛି। ଅଭିଯୁକ୍ତ ଡାକ୍ତର ଜଣକ ପ୍ରଥମେ ମହିଳା ଡାକ୍ତରଙ୍କୁ ପ୍ରେମ ନିବେଦନ କରିଥିଲେ ଏବଂ ପରେ ତାଙ୍କ ସ୍କୁଟରରେ ଲିଫ୍ଟ ଦେବା ସମୟରେ ଅନୁଚିତ୍ ବ୍ୟବହାର କରିଥିଲେ। ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଡା. ସେଠୀ ମହିଳା ଡାକ୍ତରଙ୍କୁ ‘ୱାନ୍-ନାଇଟ୍ ଷ୍ଟାଣ୍ଡ୍’ ବଦଳରେ ଉନ୍ନତ ପ୍ରମୋସନ୍ ଏବଂ ଭଲ ସ୍ଥାନରେ ପୋଷ୍ଟିଂ ଦେବାର ଲୋଭନୀୟ ପ୍ରସ୍ତାବ ଦେଇଥିଲେ। ଅଭିଯୁକ୍ତଙ୍କ ଅଶାଳୀନ ବ୍ୟବହାର ପରେ ମହିଳା ଡାକ୍ତର ଜଣକ ଏୟାରଫିଲ୍ଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଡା. କ୍ଷମା ସେଠୀଙ୍କୁ ଗିରଫ କରିଛି। ପୋଲିସ୍ କର୍ତ୍ତୃପକ୍ଷ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ କୌଣସି ସମାନ ଅଭିଯୋଗ ରହିଛି କି ନାହିଁ, ସେ ନେଇ ଅଧିକ ତଦନ୍ତ ଚାଲିଛି। ଏହି ଘଟଣାକୁ ନେଇ ଡାକ୍ତରୀ ମହଲ ଏବଂ ମହିଳା ଅଧିକାର ଗୋଷ୍ଠୀ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଏବଂ ସେମାନେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ମହିଳା ଡାକ୍ତରମାନଙ୍କ ପାଇଁ ନିରାପଦ କାର୍ଯ୍ୟକ୍ଷେତ୍ର ସୁନିଶ୍ଚିତ କରିବାକୁ ଆହ୍ୱାନ ଦେଇଛନ୍ତି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..