ରିପୋର୍ଟ କାର୍ଡ / ଭୁବନେଶ୍ବର
ପୋଲିସ ସବ୍ ଇନ୍ସପେକ୍ଟର (ଏସଆଇ) ପରୀକ୍ଷା ଅନିୟମିତତା ମାମଲାରେ ଭିତିରି ରହସ୍ୟର ଗୁମର ଖୋଲୁଛି। ତଦନ୍ତକୁ ଜୋରଦାର କରିବା ପରେ ଅଭିଯୁକ୍ତଙ୍କ କାରସାଦି ପଦାକୁ ଆସିବାରେ ଲାଗିଛି। ୫ଦିନିଆ ରିମାଣ୍ଡ ଥିବା ଶଙ୍କର ପୃଷ୍ଟି ଓ ଅରବିନ୍ଦ ଦାସଙ୍କୁ ଜେରା କରି ରଚା ଯାଇଥିବା ସୁକଳ୍ପିତ ଷଡ଼ଯନ୍ତ୍ର ଓ ପ୍ରମାଣ ନଷ୍ଟର ବଡ଼ ଧରଣର ସୁରାକ ହାତେଇଛି କ୍ରାଇମବ୍ରାଞ୍ଚ। ଏହି ଘଟଣାରେ ଜଡ଼ିତ ଥିବା ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ ଲାଗି ଫୋନ୍ ଓ ଲାପ୍ଟପରେ ଥିବା ତଥ୍ୟକୁ ଡିଲିଟ୍ କରି ଦେଇଛନ୍ତି। କେବଳ ଅଭିଯୁକ୍ତ ନୁହନ୍ତି, ଆଶାୟୀଙ୍କ ମୋବାଇଲରେ ଥିବା ଡାଟାକୁ ଡିଲିଟ୍ କରି ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି। ଜବତ କରାଯାଇଥିବା ଫୋନ ଓ ଲାପ୍ଟପରୁ ତଥ୍ୟକୁ ହାତେଇବାକୁ ରାଜ୍ୟ ଅପରାଧବିଧି ବିଜ୍ଞାନାଗାର (ଏସ୍ଏଫ୍ଏସ୍ଏଲ୍) ପଠାଯାଇଥିଲା। ଫୋନ୍ରୁ ଡାଟା ରିକଭରି କରି କିଛି ପ୍ରାରମ୍ଭିକ ତଥ୍ୟ କ୍ରାଇମବ୍ରାଞ୍ଚକୁ ପ୍ରଦାନ କରିଛି ଏସ୍ଏଫ୍ଏସ୍ଏଲ୍। ଉକ୍ତ ତଥ୍ୟକୁ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଦଳ ପୁଙ୍ଖାନୁପୁଙ୍ଖ ତର୍ଜମା କରୁଛନ୍ତି। ରିପୋର୍ଟ ଆଧାରରେ ତଦନ୍ତକୁ କ୍ରିୟାଶୀଳ କରାଯିବା ସହ ଶଙ୍କରକୁ ଘନଘନ ଜେରା କରୁଛି କ୍ରାଇମବ୍ରାଞ୍ଚ। ସିଲିକନ୍ ଟେକ୍ଲାବ୍ର ନିର୍ଦେଶକ ସୁରେଶ ନାୟକ ଏହି ଘଟଣାର ମୁଖ୍ୟ ଖଳନାୟକ ରହିଥିଲା। ସେ ଶଙ୍କର ସହ ଡିଲ୍ କରି ଆଶାୟୀଙ୍କୁ ନିଯୁକ୍ତି ଦେବା ସହ ଟଙ୍କା ଆତ୍ମସାତ୍ କରିବାକୁ ଯୋଜନା କରୁଥିଲା। ଶଙ୍କର ଗୋଟି ଚାଳନା କରିବା ସହ ଦଲାଲଙ୍କୁ ଯୋଗାଡ଼ କରୁଥିଲା। ସୁରେଶ, ଶଙ୍କର ଓ ଦୁଇ ଦଲାଲ ମୁନା ମହାନ୍ତି ଓ ଅରବିନ୍ଦ ଫୋନ୍ରେ କଥା ହେଉଥିଲେ। ଦୁଇରୁ ୩ଥର କଥା ହେବା ପରେ ସିମ୍ ବଦଳାଇ ଦେଉଥିଲେ। ସୁରେଶକୁ ସବିଶେଷ ବିବରଣୀ ପ୍ରଦାନ କରୁଥିଲା ଶଙ୍କର। ଏହି ଘଟଣା ପ୍ରଘଟ ହେବା ପରେ ଶଙ୍କରକୁ ଲୁଚାଇବା ସହ ଫେରାର କରାଇବାରେ ସୁରେଶର ସମ୍ପୃକ୍ତି ଥିଲା। ଶଙ୍କର ଧରାପଡ଼ିବା ପରେ ସେ ଫସିଯିବାର ଆଶଙ୍କା କରି ଫୋନ୍ରୁ ସବୁ ତଥ୍ୟ ଡିଲିଟ୍ କରି ଦେଇଥିଲା। ସୁରେଶ ଏହି ମହାଦୁର୍ନୀତି ଘଟଣାର ମୁଖ୍ୟ ଖଳନାୟକ ବୋଲି କୁହାଯାଉଛି। ତେଣୁ ସୁରେଶକୁ ରିମାଣ୍ଡରେ ଆଣି ଖୋଳତାଡ଼ କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ସେହିପରି ଅରବିନ୍ଦ ପାଖରୁ ଜବତ ହୋଇଥିବା ମୋବାଇଲ, ଲାପ୍ଟପ ଓ ପେନ୍ ଡ୍ରାଇଭରୁ ସମସ୍ତ ତଥ୍ୟ ଡିଲିଟ କରାଯାଇଛି। ଏହି ତଥ୍ୟ ଜାଣିବାକୁ ଅରବିନ୍ଦ ଓ ଶଙ୍କରକୁ ସାମ୍ନାସାମ୍ନି ଜେରା ଚାଲୁଛି। ଅରବିନ୍ଦର ଆକାଉଣ୍ଟ ଜରିଆରେ ଅନେକ ଅର୍ଥ କାରବାର ହୋଇଛି। ଟଙ୍କା କେଉଁଠୁ ଆସିଛି, କାହା ପାଖରୁ ଆସିଛି ସେନେଇ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ। ଏଥିସହ ଗିରଫ ହୋଇଥିବା ପ୍ରିୟଦର୍ଶିନୀ ସାମଲ ଆଶାୟୀଙ୍କ ସାଟିର୍ଫିେକଟ ଫେରାଇ ଥିବାବେଳେ ମୁନା ଖାଲି ଚେକ୍ଗୁଡ଼ିକୁ ଫେରସ୍ତ କରି ଦେଇଥିଲା। ଅଭିଯୁକ୍ତ ଖସିଯିବାକୁ ଯୋଜନାବଦ୍ଧ ଭାବେ ରଣନୀତି ଚଳାଇ ଥିଲା ବୋଲି ଜଣାପଡ଼ିଛି।






More Stories
ରାଜ୍ୟର ପ୍ରତିଷ୍ଠାନଗୁଡ଼ିକର ନାମ ସଂଶୋଧନ ହେବ…..
ଜେଲ୍ ଗଲେ ଚାମେଲି ଓଝା…..
ବାୟୁସେନା ବିମାନ କ୍ରାସ…..