Report Card Odisha

| Daily Odia News

ଜନଜାତି ବିକାଶ ଆମ ପ୍ରାଥମିକତା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ଜନ ଜାତୀୟ ଗୌରବ ଦିବସ। ଭଗବାନ ବିର୍ସା ମୁଣ୍ଡାଙ୍କର ଜୟନ୍ତୀ। ବିର୍ସା ମୁଣ୍ଡା ଥିଲେ ଆଦିବାସୀମାନଙ୍କ ସ୍ୱାର୍ଥ, ସ୍ୱାଭିମାନ ଓ ଆତ୍ମ ପରିଚୟର ସୁରକ୍ଷା ପାଇଁ ସଂଘର୍ଷର ମୂର୍ତ୍ତିମନ୍ତ ପ୍ରତୀକ। ସେଥିପାଇଁ ସେ ଭଗବାନ ଓ ଧରତୀଆବା ଭାବରେ ଆଦିବାସୀ ସମାଜର ଚିର ପୂଜ୍ୟ ଓ ନମସ୍ୟ । ଏହି ମହାନ୍ ବିଭୂତିଙ୍କର ୧୫୦ ତମ ଜୟନ୍ତୀ ବର୍ଷରେ କେବଳ ରାଜ୍ୟର ୨୨ ପ୍ରତିଶତରୁ ଊର୍ଦ୍ଧ୍ବ ଜନଜାତି ବର୍ଗଙ୍କ ତରଫରୁ ନୁହେଁ, ପୂରା ଓଡ଼ିଶାର ସାଢ଼େ ଚାରି କୋଟି ଜନତାଙ୍କ ପକ୍ଷରୁ ଏହି ମହାନ ବ୍ୟକ୍ତିତ୍ୱଙ୍କୁ କୋଟି କୋଟି ପ୍ରଣାମ କରୁଛି। ଭଗବାନ ବିର୍ସା ମୁଣ୍ଡା ଏହି ଇହଧାମରେ ମାତ୍ର ୨୫ ବର୍ଷ ଅତିବାହିତ କରିଥିଲେ। ଭାରତର ଇତିହାସର ସବୁଠାରୁ ଶକ୍ତିଶାଳୀ ଆଦିବାସୀ ମେଳି ଓ ଜନ ଆନ୍ଦୋଳନର ମହାନାୟକ ଭଗବାନ ବିର୍ସା ମୁଣ୍ଡା। ମହାନ ବିପ୍ଲବୀ ବିର୍ସା ମୁଣ୍ଡା ରାଞ୍ଚି ଜେଲର ଏକ କୋଠରିରେ ୧୯୦୦ ମସିହା ଜୁନ ୯ତାରିଖରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଆଜି ତାଙ୍କର ଜନ୍ମଦିନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଜନଜାତୀୟ ଗୌରବ ଦିବସ ଭାବରେ ପାଳନ କରିବାର ପରମ୍ପରା ସୃଷ୍ଟି କରି ଦେଶର ଆଦିବାସୀ ସମାଜକୁ ଏହାର ଇତିହାସ, ସଭ୍ୟତା, ସଂସ୍କୃତି ଓ ଆତ୍ମ ପରିଚୟକୁ ପୁଣି ଥରେ ସିଂହାବଲୋକନ କରିବାର ସୁଯୋଗ ସୃଷ୍ଟି କରିଛନ୍ତି। ଓଡ଼ିଶାରେ ଆଦିବାସୀମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ତଥା ସେମାନଙ୍କର ସାଂସ୍କୃତିକ ପରିଚୟ ଓ ଅସ୍ମିତାକୁ ମନେ ପକାଇବାର ସମୟ ଆସିଛି। ୨୦୪୭ ମସିହାରେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ଏବଂ ୨୦୩୬ରେ ଆମ ରାଜ୍ୟ ସ୍ୱତନ୍ତ୍ର ପ୍ରଦେଶ ଭାବରେ ଗଠନ ହେବାର ୧୦୦ ବର୍ଷ ପୂର୍ତ୍ତି ପାଳିତ ହେବ। ଓଡ଼ିଶା ସମେତ ସମ୍ପୂର୍ଣ୍ଣ ଦେଶ ପାଇଁ ଆଗାମୀ ୨୨ ବର୍ଷ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହି ୨୨ ବର୍ଷ ଆମ ଓଡ଼ିଶାବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଏଥିରେ ସନ୍ଦେହ ନାହିଁ। ଓଡ଼ିଶାର ଏହି ବିଶାଳ ଲକ୍ଷ୍ୟ ହାସଲର ସ୍ୱପ୍ନ ସେ ପର୍ଯ୍ୟନ୍ତ ପୂରଣ ହୋଇ ପାରିବ ନାହିଁ, ଯେ ପର୍ଯ୍ୟନ୍ତ ରାଜ୍ୟର ୨୨ ପ୍ରତିଶତ ଆଦିବାସୀ ଜନ ସଂଖ୍ୟା ତଥା ଏହି ସମୁଦାୟ ଅଧ୍ୟୁଷିତ ଜିଲା ଓ ଅଞ୍ଚଳଗୁଡ଼ିକର ବିକାଶ ଆଗାମୀ କିଛି ବର୍ଷରେ ଖୁବ୍ ଦ୍ରୁତ ଗତିରେ ଆଗେଇବ ନାହିଁ।

Breaking News