Report Card Odisha

| Daily Odia News

ବିଜେଡିରେ ତେଜିଲା ରାଜନୀତି……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବରିଷ୍ଠ ନେତା ତଥା ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟଙ୍କ ଦଳୀୟ ପଦବୀରୁ ଇସ୍ତଫା ପ୍ରସଙ୍ଗରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, କେତେଜଣ ସ୍ବାର୍ଥପର ନେତା ଅଛନ୍ତି ସେମାନଙ୍କ ସ୍ବାର୍ଥରେ ବାଧା ଆସିଲେ ଦଳ ଛାଡ଼ନ୍ତି, ଦଳ ବିରୋଧରେ କୁହନ୍ତି। ଯେତେ ସ୍ବାର୍ଥପର ଲୋକ ଅଛନ୍ତି ଦଳରୁ ପଳାଇଲେ ଭଲ ହେବ। ଦଳ ଶୃଙ୍ଖଳାର ସହ ଚାଲିବ। ଦେବାଶିଷ ସାମନ୍ତରାୟ ଯେହେତୁ ଅସୁସ୍ଥ ଅଛନ୍ତି, ପଦବୀ ସମ୍ଭାଳି ପାରିବେନାହିଁ ବୋଲି ଇସ୍ତଫା ଦେଲେ। ସେ କୁହନ୍ତୁ, ଯେତେବେଳେ ପଦବୀରେ ଥିଲେ ଆଉ ଦଳ କ୍ଷମତାରେ ଥିଲା, ସେତେବେଳେ କେଉଁ ନୀତି ଆଦର୍ଶରେ ଦଳ ଚାଲୁଥିଲା। ସେତେବେଳେ କାହିଁ କିଛି କହୁ ନ ଥିଲେ ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୁଣି ଦେବାଶିଷ କହିଛନ୍ତି, ଓ୍ବକଫ୍‌ ବିଲ୍‌ ସମୟରେ ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଫୋନ୍‌ କରି ଗୃହରେ ଅନୁପସ୍ଥିତ ରହିବାକୁ କହିଥିଲେ। ତାଙ୍କ ହିସାବରେ ଭୋଟ ଦେବା ଲାଗି ସେ ଯାଇ ନ ଥିଲେ। ତେବେ କେତେଜଣ ଲୋକ ନବୀନବାବୁଙ୍କୁ ଦେଖାକରିବା ପାଇଁ ଦେଉନାହାନ୍ତି। ଭୂପିନ୍ଦର ସିଂଙ୍କୁ ମଧ୍ୟ ଦେଖା କରାଇଦେଲେନାହିଁ। ତାଙ୍କ ସହ ଦେଖାକରିବାକୁ ଚାହୁଁଥିବା ଜଣାଇ ଦିଆଯାଉ ନାହିଁ। ଆମେରିକାରୁ ପାଣ୍ଡିଆନ ଯାହା ନିର୍ଦ୍ଦେଶ ଦେଉଛନ୍ତି ତାହା ନବୀନ ନିବାସରେ ଥିବା ଜଣେ ସରକାରୀ ଅଧିକାରୀ ପାଳନ କରୁଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପଟେ ବିଜେଡିର ଏଭଳି ଆରୋପ ପ୍ରତ୍ୟାରୋପ ଭିତରେ ଭାଜପାର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ଭାଜପା ହୁଇସିଲ୍‌ ଫୁଙ୍କିଲେ ବିଜେଡି ଭାଙ୍ଗିଯିବ। ବିଜେଡି ଆଉ ରହିବନି ତା’ କଥା ଆଲୋଚାନା କରିକି କିଛି ଲାଭ ନାହିଁ। ଭାଜପା ହୁଇସିଲ୍‌ ଫୁଙ୍କିଲେ ବିଜେଡି ୧୨ ଫାଳ ହୋଇଯିବ। ଓଡ଼ିଶାକୁ ୨୪ ବର୍ଷ ଶାସନ କଲା ପରେ ନିର୍ବାଚନରେ ୩ ନମ୍ବରକୁ ଖସିଲା। ବିଧାନସଭାରେ ସେମାନଙ୍କ ସଂଖ୍ୟା ୫୧ରୁ ୫୦କୁ ଖସିଛି। ବର୍ଷେରୁ ୨ ବର୍ଷରେ ୪ରୁ ୫ ଜଣ ଥିବେ କି ନାହିଁ ତାହା ଠିକ୍‌ ନାହିଁ ବୋଲି ଜୟନାରାୟଣ କହିଛନ୍ତି।

Breaking News