ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିସ୍ଫୋରଣର ଚେର ସୁଦୂର ମହାରାଷ୍ଟ୍ର ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡିଛି। ମହାରାଷ୍ଟ୍ର ପୋଲିସ ଗୁରୁୁବାର ସମ୍ଭାଜୀନଗର (ପୂର୍ବରୁ ଔରଙ୍ଗାବାଦ) ଜିଲ୍ଲାସ୍ଥିତ ଏକ ପଞ୍ଚତାରକା ହୋଟେଲରୁ ଜଣେ ନକଲି ମହିଳା ଆଇଏଏସ ଅଫିସରଙ୍କୁ ଗିରଫ କରିଛି। ଏହି ମହିଳା ନିଜକୁ କଳ୍ପନା ଭାଗବତ ବୋଲି ପରିଚୟ ଦେଇଥିବାବେଳେ ନକଲି ଆଇଏଏସ ପରିଚୟ ପତ୍ର ମଧ୍ୟ ବ୍ୟବହାର କରୁଥିବା ଜଣାପଡିଛି। ପାକିସ୍ତାନ ସେନା ଓ ଆଫ୍ଗାନିସ୍ତାନ ସହ ମହିଳାଙ୍କର ସମ୍ପର୍କ ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ମହିଳା ଜଣକ ବିଗତ ଛଅମାସ ହେଲା ଏହି ହୋଟେଲରେ ଅବସ୍ଥାନ କରୁଛନ୍ତି।ତେବେ ଚଳିତମାସ ୧୦ରେ ଲାଲକିଲାରେ ବିସ୍ଫୋରଣ ଘଟିଥିବାବେଳେ କଳ୍ପନା ଦିଲ୍ଲୀରେ ଉପସ୍ଥିତ ଥିବାର ସୂଚନା ମଧ୍ୟ ମିଳିଛି। ତାଙ୍କ ନିକଟରୁ ୨୦୧୭ ମସିହାର ଏକ ନକଲି ଆଇଏଏସ ନିଯୁକ୍ତିପତ୍ର ଜବତ ହୋଇଥିବାବେଳେ ତାଙ୍କର ଆଧାରକାର୍ଡରେ ବ୍ୟତିକ୍ରମ ଥିବା ଜଣାପଡିଛି। ଆଫଗାନିସ୍ତାନରେ ବାସ କରୁଥିବା ତାଙ୍କର ପୁରୁୁଷ ବନ୍ଧୁ ଅସ୍ରଫ ଖଲିଲ ଓ ପାକିସ୍ତାନରେ ରହୁଥିବା ଅସ୍ରଫଙ୍କ ଭାଇ ଆଭେଦଙ୍କ ନିକଟରୁ ଏହି ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଆସିଥିବାର ପ୍ରମାଣ ମିଳିଛି। କଳ୍ପନାଙ୍କ ହୋଟେଲ ପ୍ରକୋଷ୍ଠରୁ ୧୯ କୋଟି ଏବଂ ୬ ଲକ୍ଷ ଟଙ୍କାର ଦୁଇଟି ଚେକ୍ ମଧ୍ୟ ଜବତ କରାଯାଇଛି। ମହିଳାଙ୍କ ନିକଟରେ ୧୦ଟି ଆନ୍ତର୍ଜାତିକ ଫୋନ ନମ୍ବର ରହିଛି। ଏଥିମଧ୍ୟରେ ପାକିସ୍ତାନର ପେଶୱାର ସ୍ଥିତ ସେନା କ୍ୟାଣ୍ଟନମେଣ୍ଟ ବୋର୍ଡ, ଆଫ୍ଗାନିସ୍ତାନ ଦୂତାବାସର ଫୋନ ନମ୍ବର ମଧ୍ୟ ସାମିଲ ଅଛି। ଗୋଟିଏ ଫୋନ ନମ୍ବରକୁ ‘ହୋମ ମିନିଷ୍ଟର ଓଏସଡି’ ନାମରେ ସେଭ୍ କରାଯାଇଛି। ତେବେ ପାକିସ୍ତାନରେ ଥିବା କେତେକ ବ୍ୟକ୍ତିଙ୍କ ସହ ମହିଳା ଜଣକ କରିଥିବା ବାର୍ତ୍ତାଳାପକୁ ହ୍ବାଟସଆପ୍ରୁ ଡିଲିଟ୍ କରାଯାଇଥିବା ଜଣାପଡିଛି। ମହାରାଷ୍ଟ୍ର ଗୁଇନ୍ଦା ବିଭାଗ ଅଧିକାରୀମାନେ ତିନିଦିନ ହେଲା ମହିଳାଙ୍କୁ ଜେରା କରୁଛନ୍ତି।






More Stories
ରୁଷ୍ ଦେବ ଶକ୍ତିଶାଳୀ ଅସ୍ତ୍ର ଏସ୍-୪୦୦…..
ଏସ୍ଆଇଆର ଉପରେ ଆଲୋଚନାକୁ ସମ୍ମତି…..
ଦୁଇଟି ପର୍ଯ୍ୟାୟରେ ଜନଗଣନା…..