Report Card Odisha

| Daily Odia News

ଏସ୍‌ଆଇଆର ଉପରେ ଆଲୋଚନାକୁ ସମ୍ମତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏସ୍‌ଆଇଆର ପ୍ରସଙ୍ଗକୁ ନେଇ ସଂସଦର ଶୀତ ଅଧିବେଶନରେ ଲାଗି ରହିଥିବା ଅଚଳାବସ୍ଥା ଦୂର ହୋଇଛି। କାରଣ ବିରୋଧୀ ଦଳଗୁଡିକ ଏସ୍‌ଆଇଆର ଉପରେ ସଂସଦରେ ଆଲୋଚନା କରିବାକୁ ଯେଉଁ ଦାବି ଉଠାଇଥିଲେ ତାକୁ ସରକାର ଗ୍ରହଣ କରିନେଇଛନ୍ତି। ସଂସଦୀୟ ବ୍ୟପାର ମନ୍ତ୍ରୀ କିରଣ ରିଜିଜୁ ମଙ୍ଗଳବାର ଦେଇଥିବା ସୂଚନା ଅନୁଯାୟୀ ବିରୋଧୀଙ୍କ ଦାବି ଅନୁଯାୟୀ ଆସନ୍ତା ମଙ୍ଗଳବାର (ଡିସେମ୍ବର ୯) ଏସଆଇଆର ଉପରେ ଲୋକସଭାରେ ଆଲୋଚନା କରାଯିବ। ମଧ୍ୟାହ୍ନ ୧୨ଟାରୁ ୧୦ଘଣ୍ଟା ଧରି ଏହି ପ୍ରସଙ୍ଗରେ ଆଲୋଚନା କରାଯିବ। ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ପକ୍ଷରୁ ଦେଶର ୧୨ଟି ରାଜ୍ୟରେ ଏବେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସଆଇଆର) ଚାଲିଛି। ଇସିଆଇଙ୍କ ଏହି କାର୍ଯ୍ୟକୁ ବିରୋଧୀ ଦଳଗୁଡିକ ବିରୋଧ କରିଆସୁଛନ୍ତି। ଏବେ ସଂସଦରେ ଏହି ପ୍ରସଙ୍ଗ ଆଲୋଚନା କରିବାକୁ ଦାବି କରି ଦୁଇ ଦିନ ହେଲା ଉଭୟ ଗୃହରେ ହୋହଲ୍ଲା ଚଳାଇଆସିଥିଲେ। ଆଜି ବାଚସ୍ପତି ଓମ୍‌ ବିର୍ଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ଓ ବିଜନେସ୍ ଆଡଭାଇଜରୀ କମିଟି (ବିଏସି) ବୈଠକରେ ବିରୋଧୀଙ୍କ ଏହି ଦାବି ଉପରେ ଆଲୋଚନା କରାଯାଇଥିଲା। ଆଲୋଚନା ଅନୁଯାୟୀ ଡିସେମ୍ବର ୯ରେ ଏସ୍‌ଆଇଆର ଉପରେ ୧୦ଘଣ୍ଟାର ଆଲୋଚନା କରାଯିବାକୁ ସମୟ ଧାର୍ଯ୍ୟ ହୋଇଥିଲା। ସେହିପରି ରାଷ୍ଟ୍ର ଗୀତ ବନ୍ଦେ ମାତରମ୍‌ର ୧୫୦ ବର୍ଷ ପୂର୍ତ୍ତି ପାଇଁ ଏହା ଉପରେ ମଧ୍ୟ ଲୋକସଭାରେ ଆଲୋଚନା କରାଯିବ। ନିଷ୍ପତ୍ତି ଅନୁଯାୟୀ ସୋମବାର (ଡିସେମ୍ବର ୮) ମଧ୍ୟାହ୍ନ ୧୨ରୁ ୧୦ଘଣ୍ଟା ଧରି ବନ୍ଦେ ମାତରମ୍ ଉପରେ ଆଲୋଚନା କରାଯିବ। ଆଜିର ବୈଠକ ପରେ ସମସ୍ତ ରାଜନୈତିକ ଦଳର ନେତାମାନେ ସଂସଦର ଅଧିବେଶନକୁ ସୁରୁଖୁରୁରେ ଚଳାଇବାକୁ ସମ୍ମତି ପ୍ରକାଶ କରିଛନ୍ତି। ବୁଧବାର ଠାରୁ ଉଭୟ ଗୃହ ସ୍ବାଭାବିକ ଭାବେ କାର୍ଯ୍ୟ କରିବ।​‌ ମନ୍ତ୍ରୀ ରିଜିଜୁ କହିଛନ୍ତି ଯେ ଏସଆଇଆର ହେଉଛି ନିର୍ବାଚନ ଆୟୋଗଙ୍କ ଏକ ପ୍ରଶାସନିକ ନିଷ୍ପତ୍ତି। ସରକାର ମଧ୍ୟ ବିଭିନ୍ନ ସମୟରେ ନିର୍ବାଚନ ସଂସ୍କାର ଉପରେ ଗୁରୁତ୍ବ ଦେଇଆସୁଛନ୍ତି। ତେଣୁ ଏହା ଉପରେ ସଂସଦରେ ବ୍ୟାପକ ଆଲୋଚନା ହେବ। ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହେବା ସହ ଦିନ ଓ ସମୟ ଧାର୍ଯ୍ୟ କରାଯାଇଛି। ସୋମବାର ଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଛି। ଆରମ୍ଭରୁ ବିରୋଧୀ ସଦସ୍ୟମାନେ ଏସ୍‌ଆଇଆର ଉପରେ ଆଲୋଚନା ଦାବି କରି ଉଭୟ ଗୃହକୁ ଅଚଳ କରିଥିଲେ।ସୋମବାର ଗୋଟିଏ ଦିନର ଅଚଳାବସ୍ଥା ପରେ ମଙ୍ଗଳବାର ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରି ଅଚଳାବାସ୍ଥାକୁ ନେଇ ରାଜ୍ୟସଭାରେ ମନ୍ତ୍ରୀ ରିଜିଜୁ କହିଥିଲେ ଯେ ସରକାର ନିର୍ବାଚନ ସଂସ୍କାର ଓ ଏସଆଇଆର ଉପରେ ଆଲୋଚନା ପାଇଁ ପ୍ରସ୍ତୁତ। ଏହା ପରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଥିଲେ ଯେ ରୁଲ୍ ୨୬୭ ଅନୁଯାୟୀ ମୁଲତବୀ ନୋଟିସ୍ ଦିଆଯାଇଛି। ତେଣୁ ଏସ୍‌ଆଇଆର ଉପରେ ଆଲୋଚନା ଆରମ୍ଭ କରାଯାଉ। ମାତ୍ର ସରକାର ଆଲୋଚନା ପାଇଁ ନିର୍ଦ୍ଦିଷ୍ଟ ଦିନ ଓ ସମୟ ଧାର୍ଯ୍ୟ କରିବାକୁ କହିଥିଲେ। ଲୋକସଭାର କାର୍ଯ୍ୟ ଆଜି ମାତ୍ର ୧୫ମିନିଟ୍ ପାଇଁ ଚାଲିଥିଲା। ପୂର୍ବାହ୍ଣ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ବିରୋଧୀ ସଦସ୍ୟମାନେ ନାରାବାଜି କରିଥିଲେ। ଫଳରେ ପ୍ରଶ୍ନୋତ୍ତର କାର୍ଯ୍ୟ ସମୟରେ ଗୃହକୁ ବାରମ୍ବାର ମୁଲତବୀ ରଖାଯାଇଥିଲା।

Breaking News