Report Card Odisha

| Daily Odia News

ବିଧାୟକଙ୍କୁ ହତ୍ୟା ଧମକ…..

ରିପୋର୍ଟ କାର୍ଡ / ବଲାଙ୍ଗିର

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ ଷ୍ଟେସନରେ ସ୍ଥାନୀୟ କାଉନ୍‌ସିଲର୍‌ ଥିବା ଜଣେ ଦାଦନ ଶ୍ରମିକ ସର୍ଦାର ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ବିଧାୟକ ସ୍ଥାନୀୟ ସ୍ଥାନୀୟ ଜିଆର୍‌ପିରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ବିଧାୟକ ଶ୍ରୀ ବାଗ ବୁଧବାର ରାତି ପ୍ରାୟ ୧୧ଟା ୩୦ରେ କୋର୍ବା-ବିଶାଖାପାଟଣା ଏକ୍ସପ୍ରେସରେ ଆସୁଥିବା ଜନୈକ ବନ୍ଧୁଙ୍କୁ ସାକ୍ଷାତ କରିବା ପାଇଁ ଯାଇଥିଲେ। ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରେ ଟ୍ରେନ୍‌ ଆସିବାର ଥିଲା। ସେତିକି ବେଳେ ପ୍ଲାଟ୍‌ଫର୍ମରେ ୫୦ରୁ ଊର୍ଦ୍ଧ୍ବ ମହିଳା, ପୁରୁଷ ଓ ଶିଶୁ ଗୋଟିଏ ସ୍ଥାନରେ ରୁଣ୍ଡ ହୋଇଥିଲେ। ବିଧାୟକ ଉକ୍ତ ଲୋକମାନଙ୍କୁ କେଉଁଠାକୁ ଯାଉଛ ବୋଲି ପଚାରିବାରୁ ସେମାନେ ହାଇଦରାବାଦ ଓ ବିଜୟୱାଡ଼ାକୁ ଇଟା ଗଢ଼ିବା ପାଇଁ ଯାଉଥିବା କହିଥିଲେ। ଏହା ପରେ ବିଧାୟକ ଷ୍ଟେସନରେ ଅପେକ୍ଷାରତ ଦାଦନ ଶ୍ରମିକ ରୋକିବା ଟାସ୍କଫୋର୍ସ ଓ ଜିଆର୍‌ପି, ଆର୍‌ପିଏଫ୍‌ ଏବଂ କଣ୍ଟାବାଞ୍ଜି ତଥା ଟାଉନ ପୁଲିସକୁ ସୂଚନା ଦେଇ ସେମାନଙ୍କ କାଗଜପତ୍ର ଯାଞ୍ଚ କରିବାକୁ କହିଥିଲେ। ଏହି ସମୟରେ ଦାଦନ ଶ୍ରମିକ ସର୍ଦାର ଇମ୍ରାନ ଖାନ ତାର ସହଯୋଗୀ ବଣ୍ଟି ବେହେରା ଓ ଅନ୍ୟ ୬ଜଣଙ୍କ ସହ ବିଧାୟକଙ୍କ ପାଖକୁ ଆସି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ସେମାନେ ଜୀବନରେ ମାରିଦେବାକୁ ତାଙ୍କୁ ଧମକ ଦେଇଥିଲେ। ତତ୍‌କ୍ଷଣାତ ବିଧାୟକ ଶ୍ରୀ ବାଗ କଣ୍ଟାବାଞ୍ଜି ଜିଆର୍‌ପି ଫାଣ୍ଡି ଜରିଆରେ ଟିଟିଲାଗଡ଼ ଜିଆର୍‌ପି ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ।

Breaking News