ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଣିକି ପ୍ରତିବର୍ଷ ଜମିର ସରକାରୀ ମୂଲ୍ୟ (ବେଞ୍ଚମାର୍କ ଭାଲ୍ୟୁ) ୫ ପ୍ରତିଶତ ଲେଖାଏଁ ବଢ଼ିବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଓଡ଼ିଶା ଷ୍ଟାମ୍ପ୍ ନିୟମାବଳୀ-୧୯୫୨ରେ ସଂଶୋଧନ ପୂର୍ବକ ବିଜ୍ଞପ୍ତି ଜାରି କରାଯାଇଛି। ବିଭାଗ ପକ୍ଷରୁ ଦର୍ଶାଯାଇଛି, ସବ୍-ଡିଭିଜନ ଭାଲ୍ୟୁଏସନ୍ କମିଟି ତହସିଲଦାରଙ୍କଠାରୁ ନିର୍ଦ୍ଦିଷ୍ଟ ଅଞ୍ଚଳର ଜମିର ବଜାର ମୂଲ୍ୟ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବେ। ସହରାଞ୍ଚଳରେ ସର୍ବୋଚ୍ଚ ନିଲାମ ମୂଲ୍ୟ ପରିବର୍ତ୍ତେ ସମାନ ପ୍ରକାରର ଜମିର ହାରାହାରି ନିଲାମ ମୂଲ୍ୟକୁ ବେଞ୍ଚମାର୍କ୍ ଭାଲ୍ୟୁ ଭାବେ ଗ୍ରହଣ କରାଯିବ। ଏହା ମାଧ୍ୟମରେ ଜମି ମୂଲ୍ୟ ନିର୍ଦ୍ଧାରଣରେ ଅଧିକ ପାରଦର୍ଶିତା ସୁନିଶ୍ଚିତ ହେବ ବୋଲି କୁହାଯାଇଛି। ସେହିପରି ବଜାର ମୂଲ୍ୟ ତାଲିକା ପ୍ରସ୍ତୁତ ହେବା ପରେ ତାହା ପ୍ରକାଶ ପାଇବ। ପ୍ରତି ଦୁଇ ବର୍ଷରେ ଥରେ ସେଥିରେ ସଂଶୋଧନ କରାଯିବ। ପ୍ରଥମ ବର୍ଷ ପରେ ସହରାଞ୍ଚଳର ସ୍ଥାବର ସମ୍ପତ୍ତିର ମୂଲ୍ୟରେ ସ୍ୱୟଂଚାଳିତଭାବେ ୫ ପ୍ରତିଶତ ବୃଦ୍ଧି ହେବ। ଜିଲ୍ଲା ମୂଲ୍ୟାଙ୍କନ କମିଟିର ଅନୁମୋଦନ ପରେ ଏପ୍ରିଲ୍ ୧ରୁ ନୂଆ ଦର ଲାଗୁ ହେବ। ଯଦି କମିଟି ନିର୍ଦ୍ଧାରିତ ଦୁଇ ବର୍ଷ ମଧ୍ୟରେ ସଂଶୋଧନ କରିବାରେ ଅସମର୍ଥ ହୁଅନ୍ତି ତା ହେଲେ ଜିଲାପାଳ ପୂର୍ବ ଦରକୁ ଦୃଷ୍ଟିରେ ରଖି ବେଞ୍ଚ ମାର୍କ ଭାଲ୍ୟୁ ୧୦ ପ୍ରତିଶତ ବୃଦ୍ଧି କରିପାରିବେ। ଏହି ବୃଦ୍ଧି ବ୍ୟବସ୍ଥା ଗ୍ରାମାଞ୍ଚଳରେ ଲାଗୁ ହେବନାହିଁ, ଯେଉଁ ଗ୍ରାମାଞ୍ଚଳରେ ବିଗତ ଦୁଇ ବର୍ଷରେ କୌଣସି ଜମି ବିକ୍ରି ହୋଇନଥିବ ସେଠାରେ ଏହି ବୃଦ୍ଧି ବ୍ୟବସ୍ଥା ଲାଗୁ ହେବନାହିଁ। ଗ୍ରାମାଞ୍ଚଳର କୃଷି ଜମି ଓ ଗ୍ରାମ ଭିତରେ ଥିବା ଜମିକୁ ଅଲଗା ରଖାଯାଇଛି। ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଜମିକୁ ରାସ୍ତାଠାରୁ ଦୂରତ୍ୱ ଅନୁସାରେ ଜୋନ୍-୧ (ରାସ୍ତାଠାରୁ ୫୦ ମିଟର ପର୍ଯ୍ୟନ୍ତ) ଓ ଜୋନ୍-୨ (୫୦ରୁ ୨୦୦ ମିଟର ପର୍ଯ୍ୟନ୍ତ) ଭାଗରେ ବଣ୍ଟନ କରାଯାଇଛି। ଏଥିସହ ଜଳସେଚିତ ଓ ଅଣଜଳସେଚିତ ଜମିକୁ ଦୁଇଫସଲି, ଏକଫସଲି କିମ୍ବା ପଡ଼ିଆ ଜମି ଭାବେ ରେକର୍ଡ୍ କରାଯିବ। ଅଣ-କୃଷି ଜମି ସହିତ ବିକାଶମୂଳକ ପ୍ରକଳ୍ପ ପାଇଁ ଚିହ୍ନିତ ଜମିଗୁଡ଼ିକ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ବୋଲି ବିଭାଗ ପକ୍ଷରୁ ଦର୍ଶାଯାଇଛି।






More Stories
IAS ସ୍ତରରେ ଅଦଳବଦଳ…..
ସାମିଲ ହେବେ ଯୁବ ଓ କଟିଥିବା ଭୋଟର…..
ଝଡବର୍ଷା ସମ୍ଭାବନା…..