ରିପୋର୍ଟ କାର୍ଡ / କଟକ
ସୁପ୍ରିମକୋର୍ଟ କଲେଜିୟମ୍ ଓଡିଶା ହାଇକୋର୍ଟ ବିଚାରପତି ସଙ୍ଗମ କୁମାର ସାହୁଙ୍କୁ ପାଟଣା ହାଇକୋର୍ଟ ମୁଖ୍ୟବିଚାରପତି ନିଯୁକ୍ତ ଦେବା ପାଇଁ ଗୁରୁବାର ସୁପାରିଶ କରିଛି। ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଗଠିତ କଲେଜିୟମ୍ ଦେଶର ବିଭିନ୍ନ ହାଇକୋର୍ଟରେ ଖାଲି ପଡ଼ିବାକୁ ଥିବା ପାଞ୍ଚ ଜଣ ମୁଖ୍ୟ ବିଚାରପତି ପଦ ପାଇଁ ନାମ ସୁପାରିଶ କରିଛି, ସେଥିମଧ୍ୟରେ ଜଷ୍ଟିସ୍ ସାହୁଙ୍କ ନାମ ରହିଛି। ଜଷ୍ଟିସ୍ ସାହୁ ୧୯୮୯ ମସିହାରେ ଆଇନଜୀବୀ ଭାବେ ନାମ ଲେଖାଇଥିଲେ ଏବଂ ଅପରାଧିକ ତଥା ସେବା ଆଇନରେ ତାଙ୍କର ବିଶେଷଜ୍ଞତା ରହିଛି। ସେ ଜୁଲାଇ ୨୦୧୪ ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଉନ୍ନୀତ ହୋଇଥିଲେ।ସେ ବର୍ତ୍ତମାନ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ମାମଲାର ବିପୁଳ ବକେୟା ଥିବା ପାଟଣା ହାଇକୋର୍ଟର ନେତୃତ୍ୱ ନେବା ପାଇଁ ତାଙ୍କର ବ୍ୟାପକ ଅଭିଜ୍ଞତା ତାଙ୍କୁ ଉପଯୁକ୍ତ କରିଛି ବୋଲି କଲେଜିୟମ୍ ମତ ଦେଇଛି। ଜଷ୍ଟିସ୍ ସଙ୍ଗମ କୁମାର ସାହୁଙ୍କ ବ୍ୟତୀତ ଅନ୍ୟ ଯେଉଁ ବିଚାରପତିମାନଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି, ସେମାନେ ହେଲେ, ଜଷ୍ଟିସ୍ ମନୋଜ କୁମାର ଗୁପ୍ତା (ଆହ୍ଲାବାଦ ହାଇକୋର୍ଟ) – ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି, ଜଷ୍ଟିସ୍ ରେବତୀ ପି. ମୋହିତେ ଡେରେ (ବମ୍ବେ ହାଇକୋର୍ଟ) – ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି, ଜଷ୍ଟିସ୍ ଏ. ମୁହମ୍ମଦ ମୁସ୍ତାକ୍ (କେରଳ ହାଇକୋର୍ଟ) – ସିକ୍କିମ ହାଇକୋର୍ଟର ମୁଖ୍ୟ ବିଚାରପତି, ଜଷ୍ଟିସ୍ ଏମ୍.ଏସ୍. ସୋନାକ (ବମ୍ବେ ହାଇକୋର୍ଟ) – ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି। ଏହି ସୁପାରିଶକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ।






More Stories
ବୀମା ଟଙ୍କା ପାଇଁ ବାପାକୁ ସାପ ଚୋଟ…..
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଯୁବ କଂଗ୍ରେସ…..
ଇମ୍ରାନ୍ ଖାନ୍ ଏବଂ ବୁଶରା ବିବିଙ୍କୁ ଜେଲ୍ ଦଣ୍ଡ……