Report Card Odisha

| Daily Odia News

ଶେଷ ହେବ ‘ଇନ୍ସପେକ୍ଟର ରାଜ୍‌’…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ, ଯୋଜନା ଏବଂ କାର୍ଯ୍ୟକ୍ରମ ଅନେକ ସମୟରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ ହୋଇପାରୁନାହିଁ। ଫଳରେ ଏହାର ସୁଫଳ ଲୋକଙ୍କ ପାଖରେ ବିଳମ୍ବରେ ପହଞ୍ଚୁଛି। ଏନେଇ ସମୀକ୍ଷା ବେଳେ ଗୋଟିଏ କଥା ଆସୁଛି, ଏହା ତଦାରଖ ପ୍ରକ୍ରିୟା ଭିତରେ ରହିଛି। ଫଳରେ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନାହିଁ। ଆଗାମୀ ଦିନରେ ଏସବୁକୁ ଆଉ ବରଦାସ୍ତ କରାଯିବ ନାହିଁ,‘ଇନ୍‌ସପେକ୍ଟର ରାଜ୍‌’ଶେଷ ହେବ। ଏଣିକି ନୀତି ଆୟୋଗର ମାର୍ଗଦର୍ଶିକା ଅନୁଯାୟୀ କାମ କରିବାକୁ ପଡ଼ିବ ବୋଲି ମୁଖ୍ୟଶାସନ ସଚିବ ମନୋଜ ଆହୁଜା ସଚିବମାନଙ୍କୁ କହିଛନ୍ତି।ଚଳିତମାସ ୩ରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକ ଅବସରରେ ମୁଖ୍ୟଶାସନ ସଚିବ କହିଛନ୍ତି, ନୀତି ଆୟୋଗଙ୍କ ରିପୋର୍ଟ ଅନୁଯାୟୀ, ବିଭାଗମାନଙ୍କୁ ଏକ ନିୟମାବଳୀ(ପ୍ରିନ୍ସିପଲ୍‌ ଫ୍ରେମଓ୍ବାର୍କ) ପ୍ରଦାନ କରାଯିବ। ସମ୍ପୃକ୍ତ ବିଭାଗଗୁଡ଼ିକ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ‘କମ୍ପ୍ଲାୟାନ୍ସ’ ରିପୋର୍ଟ ପ୍ରସ୍ତୁତ କରିବେ। ଦୁଇ ମାସ ମଧ୍ୟରେ ସମସ୍ତ କମ୍ପ୍ଲାୟନ୍ସ ରିପୋର୍ଟ ନିୟମିତ ଭାବେ ତଦାରଖ କରାଯାଇ ସେଗୁଡ଼ିକୁ ପର୍ଯ୍ୟାୟକ୍ରମେ ଶେଷ କରାଯାଇପାରିବ ବୋଲି ମୁଖ୍ୟସଚିବ କହିଛନ୍ତି।ବୈଠକର ସୂଚନା ଅନୁଯାୟୀ, ବିଭାଗମାନଙ୍କ ଦ୍ୱାରା ସରକାରୀ କାର୍ଯ୍ୟାଳୟ ତଥା ସମ୍ପତ୍ତିଗୁଡ଼ିକର ଜିଓ-ରେଫରେନ୍ସ ସହିତ ଡିଜିଟାଲ କୋଡିଂ କରି ନିରୀକ୍ଷଣ କରାଯିବ। ସରକାରଙ୍କ ସମସ୍ତ ସମ୍ପତ୍ତି (ବିଭିନ୍ନ ଭବନ, ଭିତ୍ତିଭୂମି ତଥା କୋଠାବାଡ଼ିି ଇତ୍ୟାଦି)କୁ ଏକ ସ୍ବତନ୍ତ୍ର କୋଡ୍‌ ପ୍ରଦାନ କରାଯିବ। ଏହି ସମ୍ପତ୍ତି କୋଡ୍‌ଗୁଡ଼ିକୁ ପ୍ରକଳ୍ପ ପରିଚାଳନା ସଫ୍ଟୱେର ଏବଂ ଆର୍ଥିକ ବ୍ୟବସ୍ଥା ସହିତ ସଂଯୋଜନ କରାଯିବ। ଜିଆଇଏସ୍‌ ମ୍ୟାପରେ ଏକ ସାର୍ବଜନୀନ ଇଣ୍ଟରଫେସ୍‌ ଉପଲବ୍ଧ ରହିବ, ଯାହା ମାଧ୍ୟମରେ ସାଧାରଣ ଲୋକେ ନିଜ ଅଞ୍ଚଳର ପ୍ରକଳ୍ପଗୁଡ଼ିକୁ ଦେଖିପାରିବେ। ଏଥିରେ ପ୍ରକଳ୍ପରେ ଖର୍ଚ୍ଚ ହେବାକୁ ଥିବା ଅର୍ଥ ସହିତ ଠିକାଦାର ଏବଂ ପ୍ରକଳ୍ପର ଅଗ୍ରଗତି ସମ୍ପର୍କିତ ଫଟୋ ଇତ୍ୟାଦି ରହିବ। ସମସ୍ତ ବିଭାଗ ନିଜ ନିଜ ପ୍ରକଳ୍ପଗୁଡ଼ିକୁ ‘ଓ୍ବମୀସ୍‌’ପ୍ଲାଟଫର୍ମରେ ଅନ୍ତର୍ଭୁକ୍ତ କରିବା ଲାଗି ମୁଖ୍ୟସଚିବ ପରାମର୍ଶ ଦେଇଛନ୍ତି।ମୁଖ୍ୟସଚିବ କହିଛନ୍ତି, ସମସ୍ତ ନୂତନ ପ୍ରକଳ୍ପଗୁଡ଼ିକର ସମ୍ପୂର୍ଣ୍ଣ ବ୍ୟବସ୍ଥା ସମୀକ୍ଷା ଗତିଶକ୍ତି ପ୍ଲାଟ୍‌ଫର୍ମରେ ଅପଲୋଡ୍‌ କରାଯିବା ବାଧ୍ୟତାମୂଳକ। ଗତିଶକ୍ତି ପ୍ଲାଟଫର୍ମ ସୂଚାରୁ ରୂପେ କାର୍ଯ୍ୟାନ୍ବୟନ ପାଇଁ ଆଉ ୨-୩ ମାସ ଲାଗିବ। ଏହାପରେ ବିଭାଗରେ ଏକ ସ୍ବତନ୍ତ୍ର ସେଲ୍‌ ସ୍ଥାପନ କରାଯିବ। ଉକ୍ତ ସେଲ୍‌ ପ୍ରକଳ୍ପ ସମ୍ପର୍କରେ ଟିକିନିଖି ଅନୁଧ୍ୟାନ କରିବା ସହିତ ରିପୋର୍ଟ ପ୍ରଦାନ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

Breaking News