ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭାରତର ଅଭିବୃଦ୍ଧି ଇଞ୍ଜିନ ହେବାକୁ ଓଡ଼ିଶା ପ୍ରସ୍ତୁତ। ଓଡ଼ିଶା ନିବେଶକ ସମ୍ମିଳନୀ ହେଉଛି ଦୀର୍ଘକାଳୀନ ସହଭାଗିତା ଗଠନର ଏକ ମଞ୍ଚ। ହାଇଦରାବାଦରେ ଅନୁଷ୍ଠିତ ଓଡ଼ିଶା ନିବେଶକ ସମ୍ମିଳନୀରେ ଶିଳ୍ପ ନେତୃତ୍ବଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ନୀତି ସ୍ଥିରତା, ପ୍ରତିଯୋଗିତାମୂଳକ ଖର୍ଚ୍ଚ ଏବଂ ଏକ ସହଜ ଶାସନ ଢାଞ୍ଚା ମାଧ୍ୟମରେ ଓଡ଼ିଶା ନିଜକୁ ନିବେଶ ଗନ୍ତବ୍ୟସ୍ଥଳ ଭାବରେ ପ୍ରତିଷ୍ଠା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ମୋଟ ୬୭ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଏହାଦ୍ବାରା ରାଜ୍ୟରେ ୫୬ ହଜାର କର୍ମନିଯୁକ୍ତି ସୃଷ୍ଟି ହେବା ସମ୍ଭାବନା ରହିଛି। ୬୭ ହଜାର େକାଟି ଟଙ୍କା ନିବେଶ ପ୍ରସ୍ତାବ ମଧ୍ୟରୁ ୨୭,୬୫୦ କୋଟି ଟଙ୍କା ନିବେଶ ସମ୍ଭାବନା ଥିବା ମୋଟ୍ ୧୩ଟି ବୁଝାମଣାପତ୍ର (ଏମଓୟୁ) ସ୍ବାକ୍ଷରିତ ହୋଇଥିଲା। ଏହା ୧୫,୯୦୫ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏଥିସହ ୩୧, ୧୩୧ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଗ୍ରହଣ କରାଯାଇଛି। ଏଥିରେ ୪୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସମ୍ଭାବନା ରହିଛି। କାର୍ଯ୍ୟକ୍ରମରେ ଫାର୍ମାସ୍ୟୁଟିକାଲ୍ସ, ମେଡିକାଲ ଉପକରଣ, ଅକ୍ଷୟ ଶକ୍ତି ଉପକରଣ, ବୟନ, ବୈଦ୍ୟୁତିକ, ଆଇଟି, ଡାଟା ସେଣ୍ଟର, ଅତ୍ୟାଧୁନିକ ବିନିର୍ମାଣ ଏବଂ ଆନୁଷଙ୍ଗିକ ଶିଳ୍ପ ଭଳି ପ୍ରମୁଖ ଏବଂ ଉଦୀୟମାନ କ୍ଷେତ୍ରଗୁଡ଼ିକ ପ୍ରତି ଆଗ୍ରହ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ କହିଲେ, ଶିଳ୍ପ ନେତୃତ୍ବଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ, ଓଡ଼ିଶାର ବିବିଧ ଶିଳ୍ପ ପରିବ୍ୟବସ୍ଥାକୁ ପ୍ରଦର୍ଶନ ଏବଂ ପ୍ରାଥମିକତା ଓ ଉଦୀୟମାନ କ୍ଷେତ୍ରଗୁଡ଼ିକରେ ନିବେଶ ନିଷ୍ପତ୍ତିକୁ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ନିବେଶକ ସମ୍ମିଳନୀ କରାଯାଇଛି।ଭାରତର ଶିଳ୍ପାୟନ ଅଭିବୃଦ୍ଧିର ବଦଳୁଥିବା ମାନଚିତ୍ର ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରି ମୁଖ୍ୟମନ୍ତ୍ରୀ କହିଲେ, ପୂର୍ବୋଦୟର ଜାତୀୟ ଦୃଷ୍ଟିକୋଣ ଅଧୀନରେ ଓଡ଼ିଶା ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ଭାବରେ ଉଭା ହେଉଛି। ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଲେ, ଓଡ଼ିଶା ନିବେଶକ ସମ୍ମିଳନୀର ଦୃଢ଼ ପ୍ରତିକ୍ରିୟା ଓଡ଼ିଶାର ନୀତି ଏବଂ ଶାସନ ମଡେଲ ପ୍ରତି ବିଶ୍ବାସକୁ ଦର୍ଶାଉଛି। ରାଜ୍ୟ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ, ନିରନ୍ତର ସମ୍ପୃକ୍ତି ଏବଂ ନିବେଶକଙ୍କ ପାଇଁ ସୁଗମ ସୁବିଧା ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତିବଦ୍ଧ।






More Stories
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଯୁବ କଂଗ୍ରେସ…..
ଭିଜିଲାନ୍ସ ଜାଲରେ ରେଞ୍ଜର…..
ପୂର୍ବତନ ଅମିନଙ୍କୁ କାରାଦଣ୍ଡ…..