ରିପୋର୍ଟ କାର୍ଡ / ଭୁବନେଶ୍ଵର
ବାଂଲାଦେଶର ଛାତ୍ରନେତା ଓସମାନ ସରିଫ୍ ହାଦିର ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ପାଶ୍ଚାତ୍ୟ ରାଷ୍ଟ୍ରସମୂହ। ଓସମାନର ମୃତ୍ୟୁରେ ଢାକାସ୍ଥିତ ଜାତିସଂଘ, ଆମେରିକା, ୟୁରୋପୀୟ ୟୁନିୟନ, ଜର୍ମାନୀ ଓ ଫ୍ରାନ୍ସର ଦୂତାବାସ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ଆତତାୟୀଙ୍କ ଗୁଳିମାଡରେ ଓସମାନ ପ୍ରାଣ ହରାଇଥିବାବେଳେ ଶନିବାର ତା’ର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଡିସେମ୍ବର ୧୨ ତାରିଖରେ ଓସମାନ ଉପରକୁ ଆତତାୟୀମାନେ ଗୁଳିମାଡ କରିଥିଲେ। ଗୁରୁତର ଅବସ୍ଥାରେ ତାକୁ ଚିକିତ୍ସା ପାଇଁ ସିଙ୍ଗାପୁର ନିଆଯାଇଥିବାବେଳେ ଗୁରୁବାର ରାତିରେ ତା’ର ମୃତ୍ୟୁ ହୋଇଥିଲା। ଓସମାନର ମୃତ୍ୟୁକୁ ନେଇ ଏବେ ବାଂଲାଦେଶରେ ଭାରତ ବିରୋଧୀ ହିଂସା ଲାଗି ରହିଛି। ଏବେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ପକ୍ଷରୁ ଓସମାନର ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରାଯିବା ପରେ ବାଂଲାଦେଶରେ ଭାରତ ବିରୋଧୀ ଏଜେଣ୍ଡା ପ୍ରଭାବ ବିସ୍ତାର କରିଥିବା ଜଣାଯାଇଛି। ବାଂଲାଦେଶରେ ଲାଗି ରହିଥିବା ଭାରତ ବିରୋଧୀ ହିଂସାକୁ ନେଇ ଭାରତ ସରକାର ଚିଟାଗଙ୍ଗସ୍ଥିତ ଭିସା ଆବେଦନ କେନ୍ଦ୍ର (ଆଇଭିଏସି)କୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ କରି ଦେଇଛନ୍ତି। ଆଇଭିଏସି ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ରବିବାର ଠାରୁ ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ କେନ୍ଦ୍ରକୁ ବନ୍ଦ ରଖାଗଲା। ଚିଟାଗଙ୍ଗସ୍ଥିତ ଆଇଭିଏସିରେ ଢାକା, ରାଜଶାହି, ସିଲହେଟ ଓ ଖୁଲନା ଅଞ୍ଚଳର ଲୋକେ ଭିସା ଆବେଦନ କରିଥାନ୍ତି। ଇସଲାମିକ ମୌଳବାଦୀମାନେ ବାଂଲାଦେଶରେ ସଂଖ୍ୟାଲଘୁଙ୍କୁ ନିଶାଣ କରି ହିଂସା ଘଟାଇ ଚାଲିଛନ୍ତି। ଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ ଏବେ ପାକିସ୍ତାନ ସପକ୍ଷବାଦୀ ହୋଇଉଠିଛନ୍ତି। ତେଣୁ ସେ ମୌଳବଦୀଙ୍କୁ ଦମନ କରିବା ଦିଗରେ କୌଣସି କଠୋର ପଦକ୍ଷେପ ନେଉ ନାହାନ୍ତି। ଏପରି କି ପାକିସ୍ତାନର ଉଚ୍ଚସ୍ତରୀୟ ରାଜନେତା, ସେନା ଅଧିକାରୀ ଓ ଆଇଏସ୍ଆଇ ଅଧିକାରୀମାନେ ଏବେ ବାଂଲାଦେଶ ଗସ୍ତ କରି ମୌଳବାଦୀ ହିଂସାକୁ ଉସୁକାଇବାରେ ଲାଗିଛନ୍ତି। ହିଂସାକାରୀମାନେ ହିନ୍ଦୁଙ୍କୁ ଟାର୍ଗେଟ କରୁଛନ୍ତି। ହିନ୍ଦୁଙ୍କୁ ବିନା କାରଣରେ ହତ୍ୟା କରାଯାଉଛି।ଶୁକ୍ରବାର ଦୀପୁ ଚନ୍ଦ୍ର ଦାଶ ନାମକ ହିନ୍ଦୁଙ୍କୁ ହତ୍ୟା କରାଯାଇଥିବାବେଳେ ଶନିବାର ବିଳମ୍ବିତ ରାତିରେ ବାଂଲାଦେଶ ନ୍ୟାସନାଲ ପାର୍ଟି (ବିଏନପି)ର ନେତା ବିଲାଲ ହୁସେନଙ୍କ ଘରେ ହିଂସାକାରୀମାନେ ନିଆଁ ଲଗାଇ ଦେଇଥିଲେ। ନିଆଁେର ହୁସେନଙ୍କ ୭ବର୍ଷର ଝିଅ ଆୟେଶା ଅଖତର୍ ପୋଡି ହୋଇ ପ୍ରାଣ ହରାଇଥିଲା। ବାଂଲାଦେଶର ଲକ୍ଷ୍ମୀପୁର ସଦର ଉପଜିଲାରେ ଥିବା ହୁସେନଙ୍କ ଘର ଉପରେ ହୋଇଥିବା ଆକ୍ରମଣରେ ତାଙ୍କର ଆଉ ତିନି ଝିଅ ଆହତ ହୋଇଛନ୍ତି। ବିଲାଲଙ୍କ ମା’ ହାଜରା ବେଗମ କହିଛନ୍ତି ଯେ ହିଂସାକାରୀମାନେ ଘରର ଦୁଇ କବାଟ ବାହାରପଟୁ ବନ୍ଦ କରି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ପୁଅ କବାଟ ଭାଙ୍ଗି ଆମକୁ ଉଦ୍ଧାର କରିଥିଲା।ଆକ୍ରମଣ ସମୟରେ ହୁସେନଙ୍କ ପତ୍ନୀ ଓ ଅନ୍ୟ ଦୁଇ ସନ୍ତାନ ଘରେ ନଥିବାରୁ ସେମାନେ ବର୍ତ୍ତି ଯାଇଛନ୍ତି। ୭ବର୍ଷର ଆୟେଶା ନିଆଁରେ ପୋଡି ହୋଇ ଗୁରୁତର ହୋଇଥିଲାବେଳେ ତାକୁ ଡାକ୍ତରଖାନା ନିଆଯାଇଥିଲା। ମାତ୍ର ସେଠାର ତା’ର ମୃତ୍ୟୁ ହୋଇଥିଲା। ସେହିପରି ଶନିବାର ଯୁବନେତା ଓସମାନ ସରିଫ୍ ହାଦିର ଶେଷକୃତ୍ୟ ଶୋଭାଯାତ୍ରା ସମୟରେ ବିକ୍ଷୋଭକାରୀମାନେ ସଂସଦ ଭବନ ମଧ୍ୟରେ ଧସେଇ ପସିଥିଲେ। ଗତ ବୁଧବାରଠାରୁ ବାଂଲାଦେଶରେ ଭାରତ ବିରୋଧୀ ହିଂସା ଲାଗିରହିଛି ା ହିଂସାକାରୀମାନେ ଭାରତୀୟ ଦୂତାବାସ ଆଗରେ ବିକ୍ଷୋଭ କରିଛନ୍ତି ା






More Stories
ପାଣ୍ଡିଆନ ଆମ ନେତା ନୁହନ୍ତି……
ଚିଟ୍ଫଣ୍ଡ ଜମାକାରୀ ପାଇବେ ଟଙ୍କା….
ଆଜିଠୁ କେନ୍ଦ୍ର ବିରୋଧରେ କଂଗ୍ରେସର ରଣହୁଙ୍କାର…..