ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଉନ୍ନାଓ ଗଣବଳାତ୍କାର ପୀଡ଼ିତାଙ୍କୁ ଭେଟିବା ପରେ ଏପରି ମନ୍ତବ୍ୟ ଦେଇଛନ୍ତି। ବହୁଚର୍ଚ୍ଚିତ ମାମଲାର ଦୋଷୀ ଭାଜପାର ପୂର୍ବତନ ବିଧାୟକ କୁଲଦୀପ ସିଂ ସେନ୍ଗାରଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ ଦେବାର ଦିନକ ପରେ ବଳାତ୍କାର ପୀଡ଼ିତା କଂଗ୍ରେସ ସଂସଦୀୟ ଦଳ ନେତ୍ରୀ ସୋନିଆ ଗାନ୍ଧୀଙ୍କ ୧୦ ଜନପଥ ବାସଭବନକୁ ଯାଇଥିଲେ। ସେଠାରେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ତାଙ୍କୁ ସାକ୍ଷାତ୍ କରିଛନ୍ତି। ଏନେଇ ରାହୁଲ କହିଛନ୍ତି, ବଳାତ୍କାର ପୀଡ଼ିତାଙ୍କ ସହିତ ସମ୍ମାନର ସହ ବ୍ୟବହାର କରାଯିବା ଉଚିତ। ତାଙ୍କୁ ଅନ୍ୟାୟ ଓ ଆତଙ୍କ ଦେବା ପରିବର୍ତ୍ତେ ନ୍ୟାୟ ସୁନିଶ୍ଚିତ କରାଯିବା ଉଚିତ। ଜଣେ ଗଣବଳାତ୍କାର ପୀଡ଼ିତାଙ୍କ ପ୍ରତି ଏପରି ବ୍ୟବହାର ଉପଯୁକ୍ତ କି? ପୀଡ଼ିତା ଜଣକ ନ୍ୟାୟ ପାଇଁ ସ୍ବର ଉତ୍ତୋଳନ କରିବାକୁ ସାହସ ଦେଖାଇବା ତାଙ୍କର ଭୁଲ୍ କି? ବିଶେଷକରି ଯେତେବେଳେ ପୀଡ଼ିତାଙ୍କୁ ହଇରାଣ କରାଯାଉଛି ଓ ସେ ଭୟଭୀତ ଅବସ୍ଥାରେ କାଳାତିପାତ କରୁଛନ୍ତି, ସେତେବେଳେ ଭାଜପାର ପୂର୍ବତନ ବିଧାୟକ ସେନ୍ଗାରଙ୍କୁ ଜାମିନ ମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଲଜ୍ଜାକର କଥା ବୋଲି X ରେ ରାହୁଲ ପୋଷ୍ଟ କରିଛନ୍ତି। ବଳାତ୍କାରୀଙ୍କୁ ଜାମିନ ଓ ପୀଡ଼ିତାଙ୍କ ସହ ଅପରାଧୀଙ୍କ ଭଳି ବ୍ୟବହାର- ଏହା କେଉଁ ପ୍ରକାର ନ୍ୟାୟ ବୋଲି ସେ ପ୍ରଶ୍ନ କରିଛନ୍ତି। ଗଣତନ୍ତ୍ରରେ ଅସନ୍ତୋଷର ସ୍ବର ଉତ୍ତୋଳନ କରିବା ଏକ ଅଧିକାର ଏବଂ ଏହାକୁ ଚପାଇଦେବା ଏକ ଅପରାଧ। ପୀଡ଼ିତା ସମ୍ମାନ, ସୁରକ୍ଷା ଓ ନ୍ୟାୟ ପାଇବାକୁ ହକ୍ଦାର ବୋଲି ରାହୁଲ କହିଛନ୍ତି।






More Stories
ରାଜନାଥ ସିଂହଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ…..
ଦାୟିତ୍ୱ ଗ୍ରହଣ କଲେ ନୂଆ ସ୍ଥଳସେନା ମୁଖ୍ୟ…..
ଆଫଗାନିସ୍ତାନ ଉପରେ ଆକ୍ରମଣ ,୩୬ ମୃତ…..