Report Card Odisha

| Daily Odia News

ମଣ୍ଡିରୁ ଧାନକିଣା ସ୍ବାଭାବିକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମିଲର୍ସ ସଂଘ ସହିତ ଆଲୋଚନା ସଫଳ ହୋଇଛି। ଫଳସ୍ବରୂପ ଆଜିଠାରୁ ମଣ୍ଡିରୁ ଧାନକିଣା ସ୍ବାଭାବିକ ରହିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ୪ଦଫା ଦାବି ନେଇ ଅଲ୍‌ ଓଡ଼ିଶା ମିଲର୍ସ ସଂଘ ଆନ୍ଦୋଳନ କରୁଥିବାରୁ ଦୁଇଦିନ ହେଲା ମଣ୍ଡିରୁ ବସ୍ତାଟିଏ ହେଲେ ଧାନ ଉଠୁ ନଥିଲା। ଫଳରେ ଚାଷୀ ଶୀତ କାକରରେ ମଣ୍ଡିରେ ଧାନ ଜଗି ବସିଛନ୍ତି। ଅପରପକ୍ଷେ ପ୍ରତିଶ୍ରୁତି ମୁତାବକ ୧୫ଦିନ ଭିତରେ ବକେୟା ଟଙ୍କା ଦାବି ପୂରଣ ନହେଲେ ପୁନର୍ବାର ମିଲର୍ସ ସଂଘ ଆନ୍ଦୋଳନ କରିବ ବୋଲି ସଂଘ ସଭାପତି ମହେଶ ବଂଶଲ କହିଛନ୍ତି।ମଙ୍ଗଳବାର ସନ୍ଧ୍ୟା ୮ଟାରେ ବସିଥିବା ବୈଠକ ବିଫଳ ହେବା ପରେ ବୁଧବାର ପୂର୍ବାହ୍ଣ ୧୧ଟାରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ମିଲର୍ସ ସଂଘର ଏକ ପ୍ରତିନିଧି ଦଳର ଜରୁରୀ ବୈଠକ ବସିଥିଲା। ପୁଣି ସନ୍ଧ୍ୟା ୫ଟାରେ ଆଭାସି ମାଧ୍ୟମରେ ସରକାର ଏବଂ ମିଲର୍ସ ସଂଘ ବୈଠକ ହୋଇଥିଲା। ମିଲର୍ସ ସଂଘର ଯୁଗ୍ମ ସମ୍ପାଦକ ଶିଶିର ସାହୁ କହିଛନ୍ତି, ଆର୍ଥିକ ବର୍ଷ ୨୦୨୩-୨୪ ଏବଂ ୨୦୨୪-୨୫ରେ ମିଲର୍ସଙ୍କ ୩୫୦ କୋଟି ଟଙ୍କା ବକେୟା ପଡ଼ିଛି। ଉକ୍ତ ଟଙ୍କା ମିଲର୍ସଙ୍କୁ ଦେବା ପାଇଁ ବିଭାଗର ମନ୍ତ୍ରୀ ଏବଂ ସଚିବ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଫାଇଲ୍‌ ପଠାଇଛନ୍ତି। ଏହାର ଏକ ନକଲ ସଂଘକୁ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା ପରେ ୧୫ଦିନ ମଧ୍ୟରେ ବକେୟା ଟଙ୍କା ମିଲର୍ସଙ୍କୁ ଦିଆଯିବ। ସେହିପରି ପରିବହନ ଖର୍ଚ୍ଚ ବୃଦ୍ଧି ଦାବିକୁ ପୂରଣ କରିବାକୁ ସରକାର ୧୫ଦିନ ମହଲତ ନେଇଛନ୍ତି। ମିଲିଂ ଚାର୍ଜ ଦାବିକୁ ୬ଜଣିଆ ମନ୍ତ୍ରୀ ସ୍ତରୀୟ କମିଟିରେ ଆଲୋଚନା କରାଯିବ। ମନ୍ତ୍ରୀ ସ୍ତରୀୟ କମିଟିରେ ଆଲୋଚନା କରିବାକୁ ମିଲର୍ସ ସଂଘକୁ ଏକ ମାସ ସମୟ ଦିଆଯାଇଛି। ଏକ କୁଇଣ୍ଟାଲ ଧାନରେ ୬୭.୭୫୦କେଜି ଅରୁଆ ଚାଉଳ ଦାବି ଉପରେ ବିଭାଗ ନବରଙ୍ଗପୁର ଏବଂ ବରଗଡ଼ ଜିଲାରେ ପରୀକ୍ଷାମୂଳକ ଭାବେ ଧାନ ଶୁଖା ଉପରେ ନଜର ରଖିଛି। ଧାନ ଶୁଖା ରିପୋର୍ଟ ଆସିବା ପରେ ଉକ୍ତ ଦାବି ଉପରେ ବିଚାର କରାଯିବ ବୋଲି ମିଲର୍ସ ସଂଘକୁ ପ୍ରତିଶ୍ରୁତି ଦିଆଯାଇଛି। ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ, ଆଲୋଚନା ସଫଳ ହୋଇଥିବାରୁ ରାଜ୍ୟରେ ଧାନ କିଣା ସ୍ବାଭାବିକ ହେଲା। ୧୯ଟି ଜିଲାରେ ଚାଷୀଙ୍କ ପାଖରୁ ଉଠାଯାଉଛି ଧାନ। ମିଲର୍ସଙ୍କ କିଛି ଦାବିକୁ ସରକାର ପୂରଣ କରିବାକୁ ରାଜି ଅଛନ୍ତି। ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ୧୯ଟି ଜିଲାରେ ୩ ଲକ୍ଷ ୧୫ ହଜାର ୪୩୧ ଚାଷୀଙ୍କଠାରୁ ୧୩ ଲକ୍ଷ ୯୩ ହଜାର ୮୬୭ ଟନ୍ ଧାନ ସଂଗ୍ରହ ହୋଇଛି। ଏଥିମଧ୍ୟରୁ ୧୩ଲକ୍ଷ ୫୯ ହଜାର ୯୭୪ ଟନ୍ ଧାନ ମିଲରମାନେ ଉଠାଇଛନ୍ତି। ଚାଷୀଙ୍କୁ ୮୯୧ କୋଟି ୫୮ ଲକ୍ଷ ଟଙ୍କାର ଅତିରିକ୍ତ ଇନପୁଟ ସହାୟତା ଦିଆଯାଇଛି। ସୂଚନାଯୋଗ୍ୟ, କଷ୍ଟମ୍ ମିଲିଂ ଦର ବୃଦ୍ଧି, ଧାନ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ପ୍ରଦାନ, ଧାନ ପରିବହନ ଖର୍ଚ୍ଚ ବୃଦ୍ଧି ଏବଂ ଅରୁଆ ଚାଉଳ ୬୭କେଜି ନେବା ଭଳି ଦାବି ନେଇ ଆନ୍ଦୋଳନ କରିଥିଲା ମିଲର୍ସ ସଂଘ। କଟନୀ-ଛଟନୀ ଓ ଟୋକନ ସମସ୍ୟା ସହିତ ଏବେ ମିଲର୍ସଙ୍କ ଆନ୍ଦୋଳନ ଭିତରେ ଚାଷୀକୁଳ ସନ୍ତୁଳି ହେଉଛନ୍ତି।

Breaking News