Report Card Odisha

| Daily Odia News

ଆଜି ମହାରାଷ୍ଟ୍ର ପୌର ନିଗମର ନିର୍ବାଚନ ଫଳ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରାଷ୍ଟ୍ରର ୨୯ଟି ନଗର ନିଗମର ନିର୍ବାଚନ ଫଳାଫଳ ଆଜି ଘୋଷଣା କରାଯିବ। ସକାଳ ପ୍ରାୟ ୧୦ଟାରେ ଭୋଟ ଗଣତି ଆରମ୍ଭ ହେବ ଏବଂ ସନ୍ଧ୍ୟା ସୁଦ୍ଧା ପ୍ରତ୍ୟେକ ନଗର ନିଗମରେ କିଏ ବିଜୟୀ ହୋଇଛି ତାହା ସ୍ପଷ୍ଟ ହୋଇଯିବ। ୨୯ଟି ପୌର ନିଗମ ପାଇଁ ଗୁରୁବାର ଭୋଟ ଗ୍ରହଣ ଶେଷ ହୋଇଛି। ଭୋଟ ଗ୍ରହଣ ଶେଷ ପରେ ପ୍ରକାଶ ପାଇଥିବା ବୁଥ ବାହୁଡା ମତ ଅନୁଯାୟୀ ବୃହତ୍‌ମୁମ୍ବଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି)ରେ ଏଥର ବିଜେପି କ୍ଷମତା ଦଖଲ କରିବ। ବୁଥ ବାହୁଡା ମତ ଅନୁଯାୟୀ ବିଏମସିର ୨୨୭ଟି ୱାର୍ଡରୁ ବିଜେପି ଏକାକୀ ୧୩୮ଟି ୱାର୍ଡରେ ବିଜୟୀ ହେବ। ଶିବସେନା ୟୁବିଟି (୫୯) ଓ କଂଗ୍ରେସ ୨୩ଟିରେ ବିଜୟୀ ହେବେ ବୋଲି ଅନୁମାନ କରାଯାଇଛି। ତେବେ ଆଜିର ପୌର ନିଗମ ନିର୍ବାଚନରେ ଭୋଟରଙ୍କ ହାତରେ ଲଗାଯାଇଥିବା ଅଲିଭା କାଳି ଦାଗକୁ ନେଇ ବିବାଦ ସୃଷ୍ଟି ହୋଇଛି। ଭୋଟ ଦେଉଥିବା ଭୋଟରଙ୍କ ହାତରେ ଯେଉଁ କାଳି ଲଗାଯାଉଛି ତାହା ଲିଭିଯାଉଥିବା ଅଭିଯୋଗ ହୋଇଛି।ସ୍ବତନ୍ତ୍ର କାଳି ବଦଳରେ ଏକ ପ୍ରକାର କଲମ ଦ୍ବାରା କାଳି ବ୍ୟବହାର କରାଯାଉଥିବା ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ୍‌) ମୁଖ୍ୟ ରାଜ ଠାକରେ ଅଭିଯୋଗ କରିଛନ୍ତି। ମାତ୍ର ଠାକରେଙ୍କ ଅଭିଯୋଗକୁ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଖଣ୍ଡନ କରିଛନ୍ତି। ପୌର ନିଗମ ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ଲାଗି ରାଜ୍ୟ ନିର୍ବାଚନ ଆୟୋଗ (ଏସଇସି)ଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଭୋଟରଙ୍କ ଅଙ୍ଗୁଳିରେ ଯେଉଁ କାଳି ଲଗାଯାଉଥିଲା ଏଥର ମଧ୍ୟ ସେହି କାଳି ବ୍ୟବହାର ହୋଇଛି ବୋଲି ସିନ୍ଧେ କହିଛନ୍ତି। ଏସଇସି ମଧ୍ୟ କହିଛନ୍ତି ଯେ ମତଦାନ କରିଥିବା ଯେଉଁ ଭୋଟରମାନେ ଅଙ୍ଗୁଳିରୁ କାଳି ଲିଭାଇ ମତଦାନ ପ୍ରକ୍ରିୟାରେ ଦ୍ବନ୍ଦ୍ବ ସୃଷ୍ଟି କରିବେ ସେମାନଙ୍କ ବିରୋଧରେ ନିର୍ବାଚନ ଅନିୟମିତତା ଭଳି ମାମଲା ରୁଜୁ କରାଯିବ।

Breaking News