ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ କେନ୍ଦ୍ର ସରକାର ରବିବାର ମୋଟ ୧୩୧ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ଲାଗି ମନୋନୟନ କରିଛନ୍ତି। ପଦ୍ମ ପୁରସ୍କାର ଲାଗି ମନୋନୀତ ୧୩୧ ଜଣଙ୍କ ମଧ୍ୟରୁ ୫ଜଣଙ୍କୁ ପଦ୍ମବିଭୂଷଣ, ୧୩ଜଣଙ୍କୁ ପଦ୍ମଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ। ସେବା, କଳା, ସିନେମା, ସାହିତ୍ୟ, କ୍ରୀଡା ଓ ସାଧାରଣ ବ୍ୟାପାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ। ପଦ୍ମବିଭୂଷଣ ପାଇବାକୁ ମନୋନୀତ ହୋଇଥିବା ବ୍ୟକ୍ତିବିଶେଷ ହେଲେ ଅଭିନେତା ଧର୍ମେନ୍ଦ୍ର ସିଂହ ଦେଓଲ (ମରଣୋତ୍ତର), କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍ ଅଚ୍ୟୁତାନନ୍ଦନ (ମରଣୋତ୍ତର), କ୍ଲାସିକାଲ ଭାଓଲିନିଷ୍ଟ ଏନ ରାଜମ୍, ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି କେଟି ଥମାସ ଓ ଲେଖକ ପି ନାରାୟଣନ। ସେହିପରି ପଦ୍ମଭୂଷଣ ପାଇଁ ମନୋନୀତ ହୋଇଥିବା ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ। ତାଙ୍କୁ ମରଣୋତ୍ତର ଭାବେ ଏହି ପୁରସ୍କାର ପ୍ରଦାନ କରାଯିବ। ସେହିପରି ବିଦେଶୀ ନାଗରିକ ଭାବେ ଆମେରିକାର ନୋରି ଦତ୍ତାତ୍ରେୟଦୁ ଓ ବିଜୟ ଅମୃତରାଜଙ୍କୁ ପଦ୍ମଭୂଷଣ ପୁରସ୍କାର ପ୍ରଦାନ କରାଯିବ। ନୋରିଙ୍କୁ ମେଡିସନ ପାଇଁ ଓ ଅମୃତରାଜଙ୍କୁ କ୍ରୀଡା ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ସେହିପରି ଭଗତ ସିଂହ କୋଷିୟାରୀ, ଅଳକା ୟାଗନିକ, ଉଦୟ କୋଟାକ, ଭେଲାପାଲ୍ଲୀ ନାନେସାନଙ୍କୁ ପଦ୍ମଭୂଷଣ ପାଇଁ ମନୋନୟନ କରାଯାଇଛି। ପଦ୍ମଶ୍ରୀ ପୁରସ୍କାର ପାଇବାକୁ ମନୋନୀତ ୧୧୩ ଜଣଙ୍କ ମଧ୍ୟରେ ଓଡ଼ିଶାରୁ ୪ଜଣ ଅଛନ୍ତି। ସେମାନେ ହେଲେ ଚରଣ ହେମ୍ବ୍ରମ୍, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଓ ସୀମାଞ୍ଚଳ ପାତ୍ର। ଚଳିତବର୍ଷ ପଦ୍ମ ପୁରସ୍କାର ଲାଗି ବ୍ୟକ୍ତିବିଶେଷଙ୍କ ମଧ୍ୟରେ ୧୯ଜଣ ମହିଳା, ୬ଜଣ ବିଦେଶୀ ବା ଭାରତ ଜନ୍ମିତ ବିଦେଶୀ ନାଗରିକ ଅଛନ୍ତି। ସେହିପରି ୧୬ଜଣଙ୍କୁ ମରଣୋତ୍ତର ଭାବେ ଏହି ପୁରସ୍କାର ଲାଗି ମନୋନୟନ କରାଯାଇଛି। ପଦ୍ମ ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତି ବିଶେଷଙ୍କୁ ଆଗାମୀ ଦିନରେ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ସମ୍ମାନିତ କରିବେ। ପଦ୍ମ ପୁରସ୍କାର ବିଜେତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।






More Stories
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……
ଆଜି ବଜେଟ୍…..