Report Card Odisha

| Daily Odia News

ଗଠନ ହେଲା ସଂସଦୀୟ ମୈତ୍ରୀ ଗୋଷ୍ଠୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବୈଶ୍ବିକ ଗଣତାନ୍ତ୍ରିକ ସମ୍ପର୍କକୁ ନିବିଡ କରିବା ଲାଗି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏକ ସଂସଦୀୟ ମୈତ୍ରୀ ଗୋଷ୍ଠୀ ଗଠନ କରିଛନ୍ତି। ୬୦ଟି ଦେଶକୁ ଏହି ଗୋଷ୍ଠୀରେ ସାମିଲ କରାଯାଇଛି। ପରବର୍ତ୍ତୀ ସମୟରେ ଏହି ଗୋଷ୍ଠୀରେ ଅଧିକ ଦେଶକୁ ସାମିଲ କରାଯିବାର ପ୍ରୟାସ କରାଯିବ। ଏହି ମୈତ୍ରୀ ଗୋଷ୍ଠୀରେ ସଂସଦରେ ପ୍ରତିନିଧିତ୍ବ କରୁଥିବା ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ଏକାଠି କରାଯାଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ରବିଶଙ୍କର ପ୍ରସାଦ, ପି ଚିଦମ୍ବରମ୍‌, ରାମଗୋପାଳ ଯାଦବ, ଅସାଦୁଦ୍ଦିନ ଓୱେସୀ, ଅଖିଳେଶ ଯାଦବ, କେସି ବେଣୁଗୋପାଳ, ବୈଜୟନ୍ତ ପଣ୍ଡା, ଶଶୀ ତରୁର୍‌, ଭର୍ତ୍ତୃହରି ମହତାବ, ବିପ୍ଳବ କୁମାର ଦେବ, ସସ୍ମିତ ପାତ୍ର, ଅପରାଜିତା ଷଡଙ୍ଗୀ, ଟିଆର ବାଲୁ, ଗୌରବ ଗୋଗୋଇ, କାନିମୋଝି, ମନିଷ ତିୱାରୀ, ଅଭିଷେକ ବାନାର୍ଜୀ, ରାଜୀବ ପ୍ରତାପ ରୁଡ୍ଡି, ସୁପ୍ରିୟା ସୁଲେ ପ୍ରମୁଖ। ଏହି ସଂସଦୀୟ ପ୍ରତିନିଧିମାନେ ବିଭିନ୍ନ ସମୟରେ ଅନ୍ୟ ରାଷ୍ଟ୍ରର ସଂସଦୀୟ ପ୍ରତିନିଧି ଦଳଙ୍କ ସହିତ ଭାବ ବିନିମୟ କରିବେ। ଏହାଦ୍ବାରା ଦେଶ ଦେଶ ମଧ୍ୟରେ ବ୍ୟବସ୍ଥାପିକା ଅଭିଜ୍ଞତାର ଆଦାନପ୍ରଦାନ ହେବ। ନିୟମିତ ଭାବ ବିନିମୟ ଦ୍ବାରା ଦ୍ବିପାକ୍ଷିକ ସମ୍ପର୍କ ମଜଭୁତ ହେବ ବୋଲି ଆଶା କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଯେଉଁସବୁ ରାଷ୍ଟ୍ରକୁ ଏହି ଗୋଷ୍ଠୀରେ ସାମିଲ କରାଯାଇଛି ସେଥିମଧ୍ୟରେ ଶ୍ରୀଲଙ୍କା, ଜର୍ମାନୀ, ନ୍ୟୁଜିଲାଣ୍ଡ, ସୁଇଜରଲାଣ୍ଡ, ଦକ୍ଷିଣ ଆଫ୍ରିକା, ଭୁଟାନ, ସାଉଦି ଆରବ, ଇସ୍ରାଏଲ୍‌, ମାଳଦ୍ବୀପ, ଆମେରିକା, ରୁଷ୍, ୟୁରୋପୀୟ ୟୁନିୟନ, ଦକ୍ଷିଣ କୋରିଆ, ନେପାଳ, ବ୍ରିଟେନ, ଫ୍ରାନ୍ସ, ଜାପାନ, ଇଟାଲୀ, ଓମାନ, ଅଷ୍ଟ୍ରେଲିଆ, ଗ୍ରୀସ୍‌, ସିଙ୍ଗାପୁର, ବ୍ରାଜିଲ୍, ଭିଏତନାମ, ମେକ୍ସିକୋ, ଇରାନ ଓ ୟୁଏଇ ରହିଛି। ଅପରେସନ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଦେଶକୁ ସଂସଦୀୟ ପ୍ରତିନିଧି ଦଳ ପଠାଇ ଭାରତର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଏହି ସଂସଦୀୟ ପ୍ରତିନିଧି ଦଳରେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟଙ୍କୁ ସାମିଲ କରାଯାଇଥିଲା। ଏପରି ପ୍ରୟାସ ଦ୍ବାରା ବିଶ୍ବ ସମୁଦାୟ ଜାଣିପାରିଥିଲେ ଯେ ଭାରତୀୟ ନିଜର ଜାତୀୟ ସୁରକ୍ଷା ଓ ସ୍ବାର୍ଥ ପାଇଁ ସର୍ବଦା ଏକଜୁଟ୍ ହୋଇଥାନ୍ତି।

Breaking News