Report Card Odisha

| Daily Odia News

ସ୍ବତନ୍ତ୍ର ଶାସନ ସଚିବ ବୁଝିବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଏଣିକି ରାଜ୍ୟରେ ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନାଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଥା ସ୍ବାସ୍ଥ୍ୟ ବିଭାଗର ଜଣେ ସ୍ବତନ୍ତ୍ର ଶାସନ ସଚିବ ବୁଝିବେ। ସେହିପରି ଅଗ୍ନି ନିରାପତ୍ତାକୁ ଦୃଷ୍ଟିରେ ରଖି ସରକାରୀ କୋଠା ନିର୍ମାଣ ସମୟରେ ବିଲ୍ଡିଂ ପ୍ଲାନ ଅନୁମୋଦନ କରାଯିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ମେଡିକାଲ କଲେଜ ଓ ଡାକ୍ତରଖାନାଗୁଡ଼ିକରେ ଅଗ୍ନିଶମ ପ୍ରସ୍ତୁତିକୁ ବ୍ୟାପକ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିର୍ଦେଶ ଦେଇଛନ୍ତି। କଟକସ୍ଥିତ ଏସସିବି ମେଡିକାଲ୍‌ରେ ଭୟାବହ ଅଗ୍ନିକାଣ୍ଡ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଏହି ନିର୍ଦେଶନାମା ଜାରି କରିଛନ୍ତି। ଲୋକସେବା ଭବନରେ ମଙ୍ଗଳବାର ଅନୁଷ୍ଠିତ ସମୀକ୍ଷା ବୈଠକରେ ନିୟମିତ ଭାବରେ ଅଗ୍ନି ନିର୍ବାପନ ଉପକରଣଗୁଡିକୁ ଯାଞ୍ଚ କରିବା, ଅଗ୍ନି ନିର୍ବାପକ ବ୍ୟବସ୍ଥା ସମ୍ପର୍କରେ ଆବଶ୍ୟକ ସ୍ଥଳେ ତୃତୀୟ ପକ୍ଷ ଅଡିଟ୍ କରାଇବା ପାଇଁ କୁହାଯାଇଛି। ଜିଲାସ୍ତରରେ ଅଗ୍ନି ନିରାପତ୍ତା ସମ୍ପର୍କିତ ଅଭ୍ୟାସକୁ ଅଧିକରୁ ଅଧିକ ଆୟୋଜନ କରିବାକୁ ଜିଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ବୈଠକରେ ମୁଖ୍ୟ ଶାସନ ସଚିବ କହିଲେ, ଶିଳ୍ପ, ଭିତ୍ତିଭୂମି ଓ ଅନ୍ୟାନ୍ୟ ଉନ୍ନୟନମୂଳକ ପ୍ରକଳ୍ପକୁ ଆମେ ଯେପରି ଗୁରୁତ୍ୱ ଦେଉଛୁ, ସେହିଭଳି ଅଗ୍ନି ନିରାପତ୍ତାକୁ ମଧ୍ୟ ସର୍ବାଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଜୀବନ ରକ୍ଷା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ତେଣୁ ଏଥିରେ ସମ୍ପୃକ୍ତ ସମସ୍ତ ବିଭାଗ, ଅଗ୍ନିଶମ ସେବା ଓ ଜିଲାପାଳମାନେ ସର୍ବଦା ପ୍ରସ୍ତୁତିକୁ ଅଗ୍ରାଧିକାର ଦେବା ଆବଶ୍ୟକ। ବୈଠକରେ ରାଜ୍ୟ ଉନ୍ନୟନ ଆୟୁକ୍ତ ଦେଓ ରଞ୍ଜନ କୁମାର ସିଂ, ଅଗ୍ନିଶମ ସେବା ମହା ନିର୍ଦେଶକ ଡା. ସୁଧାଂଶୁ ଷଡ଼ଙ୍ଗୀ, ପୂର୍ତ୍ତ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଗଣଶିକ୍ଷା ବିଭାଗ ଆଦିର ସଚିବ ଯୋଗ ଦେଇଥିବା ବେଳେ ଜିଲାପାଳମାନେ ଆଭାସି ମାଧ୍ୟମରେ ଯୋଡି ହୋଇଥିଲେ।

Breaking News