ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇରାନର ଭୂତଳ ମିସାଇଲ୍ ଘାଟିଗୁଡ଼ିକ ଉପରେ ୫୦୦୦ ପାଉଣ୍ଡର ‘ବଙ୍କର୍ ବଷ୍ଟର୍’ ବୋମା ମାଡ଼ କରାଯାଇଥିବା ନେଇ ଆମେରିକା ଦାବି କରିଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡର କହିବା ଅନୁଯାୟୀ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀ ନିକଟବର୍ତ୍ତୀ ଇରାନର ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ମିସାଇଲ୍ ଘାଟିଗୁଡ଼ିକ ଉପରେ ଏହି ବୋମା ମାଡ଼ କରାଯାଇଛି। ଏହାକୁ ‘ଡିପ୍ ପେନେଟ୍ରେଟର’ ବୋମା ବୋଲି ମଧ୍ୟ କୁହାଯାଏ, ଯାହା ମାଟି ତଳେ ବହୁ ଗଭୀରରେ ଥିବା କିମ୍ବା କଂକ୍ରିଟ୍ର ଶକ୍ତ ସ୍ତର ଭିତରେ ଥିବା ଶତ୍ରୁର ବଙ୍କରକୁ ଧ୍ୱଂସ କରିବାରେ ସକ୍ଷମ। ଆମେରିକା କହିଛି ଯେ ଏହି ସ୍ଥାନଗୁଡ଼ିକରେ ଇରାନ ନିଜର ଆଣ୍ଟି-ସିପ୍ କ୍ରୁଜ୍ ମିସାଇଲ୍ ରଖିଥିଲା, ଯାହା ଆନ୍ତର୍ଜାତୀୟ ଜଳପଥରେ ଯାତାୟାତ କରୁଥିବା ଜାହାଜଗୁଡ଼ିକ ପାଇଁ ବିପଦ ସୃଷ୍ଟି କରୁଥିଲା। ଏହି ସାମରିକ କାର୍ଯ୍ୟାନୁଷ୍ଠାନ ଆମେରିକା ପକ୍ଷରୁ ଚାଲୁ ରହିଥିବା ‘ଅପରେସନ୍ ଏପିକ୍ ଫ୍ୟୁରି’ର ଏକ ଅଂଶ। ଏହି ୫୦୦୦ ପାଉଣ୍ଡର ‘ବଙ୍କର୍ ବଷ୍ଟର୍’ ବୋମା ସାଧାରଣ ବୋମା ଅପେକ୍ଷା ଯଥେଷ୍ଟ ଶକ୍ତିଶାଳୀ। ଯଦିଓ ଆମେରିକା ପାଖରେ ୩୦,୦୦୦ ପାଉଣ୍ଡର ବୋମା ମଧ୍ୟ ଅଛି, ତଥାପି ଏହି ୫୦୦୦ ପାଉଣ୍ଡର ବୋମାକୁ ବିଭିନ୍ନ ପ୍ରକାରର ଯୁଦ୍ଧ ବିମାନ ସାହାଯ୍ୟରେ ସହଜରେ ନିକ୍ଷେପ କରିଥାଏ। ଏହି ଭଳି ଗୋଟିଏ ବୋମାର ମୂଲ୍ୟ ପ୍ରାୟ ୨,୮୮,୦୦୦ ଡଲାର (ପ୍ରାୟ ୨.୪ କୋଟି ଟଙ୍କା) ବୋଲି ଅନୁମାନ କରାଯାଏ






More Stories
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି ଜଗ୍ ଲଡକି…..
ରାଜନୀତିରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିନଥାଏ…..