ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଆଜି ୨୪ତମ ଦିନରେ ପହଞ୍ଚିଛି। ସାରା ବିଶ୍ୱ ଏବେ ତୈଳ ଏବଂ ଅର୍ଥନୈତିକ ସଂକଟର ଦ୍ୱାରଦେଶରେ। ଏହି ସମୟରେ ଇରାନ ପକ୍ଷରୁ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ଇରାନ ଯୁଦ୍ଧ ବିରତି ପାଇଁ ୩ଟି ନୂଆ ସର୍ତ୍ତ ରଖିଛି। ପଶ୍ଚିମ ଏସିଆରେ ବାରୁଦର ଗନ୍ଧ ଆହୁରି ତୀବ୍ର ହେବାରେ ଲାଗିଛି। ଇରାନର ଜଣେ ବରିଷ୍ଠ ଅଧିକାରୀ ଲେବାନନ୍ ଗଣମାଧ୍ୟମ ‘ଅଲ୍ ମୟାଦୀନ’କୁ ଦେଇଥିବା ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି ଯେ, ସେମାନେ ନିଜ ଯୋଜନା ଅନୁସାରେ ଆଗକୁ ବଢ଼ୁଛନ୍ତି। ତେବେ ରକ୍ତପାତ ବନ୍ଦ କରିବା ପାଇଁ ଇରାନ ଏବେ ନୂଆ ରଣନୀତି ଆପଣାଇଛି।
ଇରାନର ୩ଟି ପ୍ରମୁଖ ସର୍ତ୍ତ:
ଆମେରିକା ସୈନ୍ୟ ଶିବିର ବନ୍ଦ: ମଧ୍ୟ-ପ୍ରାଚ୍ୟରେ ଥିବା ସମସ୍ତ ଆମେରିକୀୟ ସୈନ୍ୟ ବେସ୍କୁ ତୁରନ୍ତ ବନ୍ଦ କରାଯାଉ।
ହୋର୍ମୁଜ ଷ୍ଟ୍ରେଟ୍ ପାଇଁ ନୂଆ ନିୟମ: ସମୁଦ୍ରର ଏହି ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ପଥ ପାଇଁ ନୂଆ ଆଇନ ପ୍ରଣୟନ କରାଯାଉ, ଯେଉଁଠାରେ ଇରାନର ନିୟନ୍ତ୍ରଣ ରହିବ।
ମିଡିଆ ଉପରେ କାର୍ଯ୍ୟାନୁଷ୍ଠାନ: ଇରାନ ବିରୋଧରେ ପ୍ରୋପାଗାଣ୍ଡା ଚଳାଉଥିବା ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କୁ ପ୍ରତ୍ୟର୍ପଣ କରାଯାଉ। ଏହି ଯୁଦ୍ଧ କେବଳ ଦୁଇ ଦେଶ ମଧ୍ୟରେ ସୀମିତ ନାହିଁ, ବରଂ ଏହା ବିଶ୍ୱ ଅର୍ଥନୀତିକୁ ପଙ୍ଗୁ କରିଦେବାର ଆଶଙ୍କା ସୃଷ୍ଟି କରିଛି। ଇଣ୍ଟରନ୍ୟାସନାଲ ଏନର୍ଜି ଏଜେନ୍ସି (IEA) ର ପ୍ରମୁଖ ଫାତିହ ବିରୋଲ୍ କେନବେରାରେ ଏକ ବଡ଼ ଚେତାବନୀ ଦେଇଛନ୍ତି। ଯୁଦ୍ଧ ଯୋଗୁଁ ଅନେକ ଗ୍ୟାସ ଓ ତୈଳ ଡିପୋ ଉପରେ ଆକ୍ରମଣ ହୋଇଛି, ଯାହାଫଳରେ ସପ୍ଲାଇ ଚେନ୍ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏହା ପୂର୍ବରୁ ଇରାନ କ୍ଷତିପୂରଣ ଏବଂ ସୁରକ୍ଷାର ଗ୍ୟାରେଣ୍ଟି ମାଗିଥିଲା, କିନ୍ତୁ ଏବେ ନୂଆ ସର୍ତ୍ତ ଆମେରିକା ପାଇଁ ଚିନ୍ତାର ବିଷୟ ପାଲଟିଛି। ଇରାନ ସ୍ପଷ୍ଟ କରିଛି ଯେ ଶତ୍ରୁକୁ ଉଚିତ୍ ଶିକ୍ଷା ନଦେବା ପର୍ଯ୍ୟନ୍ତ ସେମାନେ ପଛକୁ ହଟିବେ ନାହିଁ।
ଏବେ ଦେଖିବାକୁ ବାକି ରହିଲା, ଆମେରିକା ଏହି ସର୍ତ୍ତ ଗୁଡ଼ିକୁ ଗ୍ରହଣ କରୁଛି କିମ୍ବା ପଶ୍ଚିମ ଏସିଆରେ ଏହି ବିଧ୍ୱଂସକାରୀ ଯୁଦ୍ଧ ଏକ ତୃତୀୟ ବିଶ୍ୱଯୁଦ୍ଧର ରୂପ ନେଉଛି।






More Stories
ପୁଣି ହେବ ଲକ୍ଡାଉନ୍ !…..
ଭୟଙ୍କର ବିମାନ ଦୁର୍ଘଟଣା…..
ଏସିଆ ସ୍ଥିତି ନେଇ ଅବଗତ କରିବେ ପ୍ରଧାନମନ୍ତ୍ରୀ……