Report Card Odisha

| Daily Odia News

ଆଜିଠୁ ସଂସଦର ତିନିଦିନିଆ ସ୍ୱତନ୍ତ୍ର ଅଧିବେଶନ…..

ରିପୋର୍ଟସ କାର୍ଡ / ନୂଆଦିଲ୍ଲୀ

ସଂସଦର ତିନି ଦିନିଆ ସ୍ବତନ୍ତ୍ର ଅଧିବେଶନ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ଲୋକସଭାର ଆସନ ସଂଖ୍ୟା ୫୪୩ରୁ ୮୫୦କୁ ବୃଦ୍ଧି କରିବା ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍‌ ଆଗତ ହେବ। ଏହାସହିତ ୨୦୧୧ ଜନଗଣନାକୁ ଭିତ୍ତି କରି ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ଆଗତ କରାଯିବ। ଏଥିପାଇଁ ସରକାର ତିନିଟି ବିଲ୍‌ ଆଗତ କରିବେ। ଏହି ବିଲ୍‌ଗୁଡିକ ହେଲା ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌ ୨୦୨୬, ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ୨୦୨୬ ଓ କେନ୍ଦ୍ରଶାସିତ ଆଇନ (ସଂଶୋଧନ) ବିଲ୍‌ ୨୦୨୬। ଲୋକସଭାର ଅାସନ ସଂଖ୍ୟା ବୃଦ୍ଧି ସହିତ ମହିଳା ସଂରକ୍ଷଣ ଆଇନ (ନାରୀ ଶକ୍ତି ବନ୍ଦନ ଅଧିନିୟମ)କୁ ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ଆଗତ କରାଯିବ। ପୂର୍ବ ନିୟମ ଅନୁଯାୟୀ ମହିଳା ସଂରକ୍ଷଣ ଆଇନକୁ ୨୦୩୪ ପର୍ଯ୍ୟନ୍ତ ବିଳମ୍ବ ହେବାର ଆଶଙ୍କା ଥିଲା, କିନ୍ତୁ ସରକାର ଏହାକୁ ୨୦୨୯ରୁ ଲାଗୁ କରିବାକୁ ଚାହୁଁଛନ୍ତି। ଲୋକସଭା ଆସନ ସଂଖ୍ୟା ବୃଦ୍ଧି ସହିତ ମହିଳା ସଂରକ୍ଷଣ ଆଇନକୁ କାର୍ଯ୍ୟକାରୀ କରିବା ଲାଗି ସରକାର ଏକ ଜଟିଳ ରଣନୀତି ପ୍ରସ୍ତୁତ କରିଛନ୍ତି। ମହିଳା ସଂରକ୍ଷଣ ଆଇନ ଅନୁଯାୟୀ ଲୋକସଭା ଓ ବିଧାନସଭାଗୁଡିକରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ରହିବ। ସ୍ବତନ୍ତ୍ର ଅଧିବେଶନ ସମୟ​ରେ ଗୃହରେ ଉପସ୍ଥିତ ରହିବା ଲାଗି କଂଗ୍ରେସ ଓ ବିଜେପି ଏହାର ସଦସ୍ୟମାନଙ୍କୁ ହୁଇପ୍‌ ଜାରି କରିଛି। ସ୍ବତନ୍ତ୍ର ଅଧିବେଶନ ଡକାଯିବାକୁ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ ବିରୋଧ କରିଛନ୍ତି। ବିଶେଷ କରି ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ନିର୍ବାଚନ ଚାଲିଥିବା ବେଳେ ଏହି ଅଧିବେଶନ ଡକାଯିବାକୁ ସେମାନେ ବିରୋଧ କରୁଛନ୍ତି। ଏହି ସ୍ୱତନ୍ତ୍ର ଅଧିବେଶନ ଭାରତୀୟ ଗଣତନ୍ତ୍ର ଏବଂ ନିର୍ବାଚନ ଢାଞ୍ଚାରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି, ଯେଉଁଥିରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ଏବଂ ସଂସଦର କଳେବର ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି।

Breaking News