Report Card Odisha

| Daily Odia News

ଟିଏମ୍‌ସି-ବିଜେପି ମୁହାଁମୁହିଁ , ୯ ଗିରଫ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଆସନ୍ତା ୨୩ରେ ଭୋଟଗ୍ରହଣ କରାଯିବ। ଏଥିପାଇଁ ମଙ୍ଗଳବାର ସନ୍ଧ୍ୟାରୁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ତେବେ ପ୍ରଚାର ଶେଷ ଦିନରେ ଏଠାରେ କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏବଂ ବିଜେପି ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ଜଣାପଡିଛି। ପୁଲିସ ଏହି ଘଟଣାରେ ମୋଟ ୯ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ବିଜେପିର ୫ ଓ ଟିଏମ୍‌ସିର ୪ ସମର୍ଥକ ସାମିଲ ଅଛନ୍ତି। ପୋଲିସ ସୂଚନା ମୁତାବକ ବିଜେପି ପ୍ରାର୍ଥୀ ରାକେଶ ସିଂହ ହୁସେନ ଶାହା ରୋଡରେ ଏକ ସଭାକୁ ସମ୍ବୋଧିତ କରୁଥିଲେ। ବିଜେପି କର୍ମୀମାନେ ରାକେଶଙ୍କ ସପକ୍ଷରେ ବିଭିନ୍ନ ସ୍ଲୋଗାନ ଦେବା ସହିତ ଟିଏମ୍‌ସି ବିରୋଧରେ ବିଷୋଦ୍‌ଗାର କରିଥିଲେ। ଫଳରେ ସେଠାରେ ଉପସ୍ଥିତ ଟିଏମ୍‌ସି ସମର୍ଥକମାନେ ଏହାର ତୀବ୍ର ବିରୋଧ କରିଥିଲେ। ସେମାନେ ମଧ୍ୟ ବିଜେପି ବିରୋଧରେ ଆପତ୍ତିଜନକ ସ୍ଲୋଗାନ ଦେଇଥିଲେ। ଉଭୟପକ୍ଷ ମଧ୍ୟରେ ଏହାକୁ ନେଇ ପ୍ରଥମେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତିି ଓ ମାରପିଟ୍‌ ହୋଇଥିଲା। ପରସ୍ପର ବିରୋଧରେ ଫେରାଦ ହେବାକୁ ଉଭୟପକ୍ଷ ଇକ୍‌ବାଲପୁର ଥାନାରେ ପହଞ୍ଚିଥିଲେ। ଥାନା ସମ୍ମୁଖରେ ଦୁଇପକ୍ଷଙ୍କ ମଧ୍ୟରେ ପୁଣି ଗଣ୍ଡଗୋଳ ଘଟିଥିଲା। ପୋଲିସ ତୁରନ୍ତ ହସ୍ତକ୍ଷେପ କରିବାରୁ ସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା। ଥାନାରେ ତିନିଟି ପୃଥକ ଏତଲା ଦାଏର କରାଯାଇଛି।

Breaking News