ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁଁ ବଙ୍ଗଳା ଜନଶକ୍ତିଙ୍କୁ ପ୍ରଣାମ କରୁଛି’। ଆଣ୍ଠେଇ ମୁଣ୍ଡିଆ ମାରିଲେ ମୋଦୀ। ଏହା କେବଳ ଏକ ଟୁଇଟ୍ ବା ଏକ୍ସ-ପୋଷ୍ଟ୍ ନଥିଲା, ବରଂ ବର୍ଷ ବର୍ଷର ସଂଘର୍ଷ ପରେ ପଶ୍ଚିମବଙ୍ଗରେ ମିଳିଥିବା ମହାବିଜୟର ଭାବାବେଗ ଥିଲା। ବଙ୍ଗଳାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହରେ ମଞ୍ଚ ଉପରୁ ଆନନ୍ଦର ଉଲ୍ଲାସ କରୁଥିବା ଜନତାଙ୍କୁ ହାତ ହଲାଇ ବଙ୍ଗଳାର ଜନସାଧାରଣଙ୍କ ପ୍ରତି କୃତଜ୍ଞତା ଜଣାଇ ଧୀରେ ଧୀରେ ଆଣ୍ଠୁମାଡ଼ି ହାତ ଯୋଡି ପ୍ରଣାମ କରିଥିଲେ ମୋଦୀ। ବଙ୍ଗ ଇତିହାସରେ ଲେଖା ହେଲା ନୂଆ ଅଧ୍ୟାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ପଶ୍ଚିମବଙ୍ଗର ଜନସାଧାରଣଙ୍କ ସମ୍ମୁଖରେ ହାତ ଯୋଡି, ଭୂମି ଉପରେ ଆଣ୍ଠେଇ ମୁଣ୍ଡିଆ ମାରିଥିଲେ। ଶପଥ ଗ୍ରହଣ ସରିବା ପରେ, ପ୍ରଧାନମନ୍ତ୍ରୀ ମୋଦୀ ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କ ସହ ମଞ୍ଚର ଆଗକୁ ଆସିଥିଲେ। ସାମ୍ନାରେ ଥିଲା ଆନନ୍ଦରେ ଉଲ୍ଲାସ କରୁଥିବା ଏକ ବିଶାଳ ଜନସମୁଦ୍ର। ପ୍ରଥମେ ମୋଦୀ ହାତ ହଲାଇ ଲୋକଙ୍କ ଅଭିବାଦନ ଗ୍ରହଣ କଲେ, ଏବଂ ତା’ ପରେ ଯାହା କଲେ ତାହା ଉପସ୍ଥିତ ସମସ୍ତଙ୍କ ହୃଦୟ ଜିଣିନେଲା। ବିନା କୌଣସି ସଂକୋଚରେ ସେ ଧୀରେ ଧୀରେ ମଞ୍ଚ ଉପରେ ଆଣ୍ଠେଇ ପଡ଼ିଲେ ଏବଂ ବଙ୍ଗଳାର ମାଟି ଓ ଜନତାଙ୍କୁ ସମ୍ମାନ ଜଣାଇ ସାଷ୍ଟାଙ୍ଗ ପ୍ରଣାମ କଲେ। ପରେ ଏହି ଭାବପୂର୍ଣ୍ଣ ମୁହୂର୍ତ୍ତର ଏକ ଭିଡିଓ ନିଜେ ପ୍ରଧାନମନ୍ତ୍ରୀ ତାଙ୍କ ଏକ୍ସ (X) ହ୍ୟାଣ୍ଡେଲରେ ସେୟାର କରିଥିଲେ। ସେ ଲେଖିଥିଲେ, “ମୁଁ ବଙ୍ଗଳାର ଜନଶକ୍ତିଙ୍କୁ ପ୍ରଣାମ କରୁଛି। ଲୋକଙ୍କ ଆଶୀର୍ବାଦ ହେଉଛି ଗଣତନ୍ତ୍ରର ପ୍ରକୃତ ଶକ୍ତି ଏବଂ ଜନସାଧାରଣଙ୍କ ସଂକଳ୍ପର ସର୍ବୋତ୍ତମ ଉତ୍ସ।” ମୋଦୀଙ୍କ ଏହି ଗୋଟିଏ ବାକ୍ୟ ଆଉ ଏହି ମୁଣ୍ଡିଆ ମାରିବା ଦୃଶ୍ୟ ସ୍ପଷ୍ଟ କରିଦେଉଛି ଯେ, ବଙ୍ଗଳାରେ ବିଜେପିର ଏହି ସଫଳତା କେବଳ ଏକ ରାଜନୈତିକ ବିଜୟ ନୁହେଁ, ବରଂ ଏହା ଦଳ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ପ୍ରଧାନମନ୍ତ୍ରୀ ଭଲଭାବେ ଅନୁଭବ କରିଛନ୍ତି।






More Stories
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ…..
ରାଜା ସୁବ୍ରମଣି ହେଲେ ନୂଆ ସିଡିଏସ୍…..
ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ…..