Report Card Odisha

| Daily Odia News

ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

୨୦୨୪ ସାଧାରଣ ନିର୍ବାଚନରେ ଚାଷୀଙ୍କୁ ବିଜେପି ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପାଣିର ଗାର ହୋଇଛି। ଏମ୍‌ଏସପି ସହ ୮୦୦ ଟଙ୍କାର ଇନପୁଟ୍‌ ସବ୍‌ସିଡି ଦେବାର ଆଶ୍ବାସନା ଦେଇଥିବା ବିଜେପି ସରକାର ଚାଷୀଙ୍କୁ ଶୋଷଣ କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ସରକାର ଚାଷୀଙ୍କ ସମସ୍ୟାର ତୁରନ୍ତ ସମାଧାନ ନ କଲେ ଆଗାମୀ ଦିନରେ ବିଜେଡି ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି।ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପସଭାପତି ସଞ୍ଜୟ କୁମାର ଦାସବର୍ମା ଓ ବିଧାୟକ ବ୍ୟୋମକେଶ ରାୟ କହିଥିଲେ, ବିଜେପି ସରକାରର ଚାଷୀ ମାରଣ ନୀତି ଯୋଗୁଁଁ ଚାଷୀ ନିଜର ହକ୍ ପାଇଁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଛି। ରାଜ୍ୟରେ ଚାଷୀଙ୍କ ସମସ୍ୟା ଉତ୍କଟ ରୂପ ନେଉଥିବା ବେଳେ ସରକାର ଉତ୍ସବ ମନାଇବାରେ ବ୍ୟସ୍ତ ରହୁଛନ୍ତି। ବିଜେପି କ୍ଷମତାକୁ ଆସିବା ପୂର୍ବରୁ ଓଡ଼ିଶାର କୃଷକଙ୍କୁ ଆଶ୍ବସ୍ତ କରିଥିଲା ଯେ ଏମ୍ଏସପି ସହ ୮୦୦ ଟଙ୍କାର ଇନପୁଟ୍ ସବସିଡି ଦେଇ ଧାନ କିଣିବୁ ଏବଂ ଚାଷୀର ସମସ୍ତ ବଳକା ବିକ୍ରିଯୋଗ୍ୟ ଧାନ ସଂଗ୍ରହ ହେବ। ଏହା ଭିତରେ ଦୁଇଟି ଆର୍ଥିକ ବର୍ଷ ବିତିଯାଇଥିଲେ ମଧ୍ୟ ସରକାରଙ୍କ ଅପାରଗତା କାରଣରୁ ଚାଷୀ ବହୁ ସମସ୍ୟା ଦେଇ ଗତି କରୁଛନ୍ତି। ନିର୍ବାଚନ ପ୍ରତିଶ୍ରୁତି ପୂରଣ କରି ସରକାର ଚାଷୀଙ୍କ ସମସ୍ୟା ଦୂର କରନ୍ତୁ। ନ ହେଲେ ଚାଷୀଙ୍କ ହକ୍ ପାଇଁ ବିଜେଡି ଆନ୍ଦୋଳନକୁ ତୀବ୍ର କରିବ। ଚଳିତବର୍ଷ କମ୍ ଧାନ ସଂଗ୍ରହ କରିବାକୁ ସରକାର ପ୍ରଥମରୁ ଚେଷ୍ଟା କରିଥିଲେ। ଏଥିପାଇଁ ପଞ୍ଜୀକରଣ ପ୍ରକ୍ରିୟାକୁ ଜଟିଳ କରିବା ସହ ୧୫୦ କ୍ବିଣ୍ଟାଲ ଉପରକୁ କୌଣସି ଚାଷୀ ଧାନ ବିକ୍ରି କରିପାରିବ ନାହିଁ ବୋଲି କୁହାଯାଇଥିଲା। ବିଜେପି କ୍ଷମତାକୁ ଆସିବା ଦିନଠୁ ଚାଷୀ ସମସ୍ୟା ବଢ଼ୁଛି ବୋଲି ବିଜେଡି ଅଭିଯୋଗ କରିଛି।

Breaking News