Report Card Odisha

| Daily Odia News

ଆଜି ସାରା ଦେଶରେ ଔଷଧ ଦୋକାନ ବନ୍ଦ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ତଥା ଦେଶରେ ଅନଲାଇନ ଜରିଆରେ ଔଷଧ ବିକ୍ରିକୁ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ୍‌ସ ଆସୋସିଏସନ ବିରୋଧ କରିଛି। ଏହାର ପ୍ରତିବାଦରେ ବୁଧବାର ରାଜ୍ୟ ତଥା ଦେଶର ସମସ୍ତ ଔଷଧ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଏହାଦ୍ବାରା କେବଳ ରୋଗୀ ହଟହଟା ହେବେ ନାହିଁ ବରଂ ଔଷଧ ବ୍ୟବସାୟ ମଧ୍ୟ ପ୍ରଭାବିତ ହେବ। ଯଦି ସରକାର କୌଣସି ନିଷ୍ପତ୍ତି ନ ନେବେ ତେବେ ସାରା ଦେଶ‌ର ୭୦୦ ଜିଲାରୁ ସମ୍ପୃକ୍ତ ଜିଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ ସହ ଦାବି ପୂରଣ ପାଇଁ ମାସେ ମହଲତ ଦିଆଯିବ। ଏହାସତ୍ତ୍ବେ ଯଦି ସରକାର କୌଣସି ନିଷ୍ପତ୍ତି ନ ନିଅନ୍ତି ତେବେ ସର୍ବଭାରତୀୟସ୍ତରରେ ବୈଠକ କରାଯାଇ ଅନିର୍ଦ୍ଦିଷ୍ଟକାଳ ପାଇଁ ରାଜ୍ୟ ତଥା ଦେଶବ୍ୟାପୀ ଔଷଧ ଦୋକାନ ବନ୍ଦ କରାଯିବ ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି।ଅନଲାଇନ ଔଷଧ ବ୍ୟବସାୟ ଅନୁମତିକୁ ପ୍ରତ୍ୟାହାର କରିବା ନେଇ ଗତ ସପ୍ତାହରେ ସରକାରଙ୍କୁ ଆସୋସିଏସନ ଦାବି ଜଣାଇବା ସହ ୨୦ ତାରିଖରେ ରାଜ୍ୟରେ ଥିବା ୩୦,୦୦୦ରୁ ଅଧିକ ଔଷଧ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ସରକାର ଆସୋସିଏସନକୁ ଆଲୋଚନାକୁ ଡାକିଲେ ନାହିଁ କିମ୍ବା ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କଲେନାହିଁ। ଶେଷରେ ବାଧ୍ୟ ହୋଇ ବୁଧବାର ଔଷଧ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିବା ଆସୋସିଏସନ ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାପାତ୍ର ସୂଚନା ଦେଇଛନ୍ତି।ଅନ୍ୟପକ୍ଷରେ ଡାକ୍ତରଖାନାରେ ଡାକ୍ତର ଯେଉଁ କେତୋଟି ଔଷଧ ଲେଖୁଛନ୍ତି ସେଥିରୁ ପ୍ରାୟ ଔଷଧ ନିରାମୟରେ ଉପଲବ୍ଧ ହେଉନାହିଁ। ଯାହାଦ୍ବାରା ଘରୋଇ ଔଷଧ ଦୋକାନରୁ ରୋଗୀ ତଥା ସେମାନଙ୍କ ସମ୍ପର୍କୀୟ ଔଷଧ ନେଇଥାନ୍ତି। ଏହାଛଡ଼ା ଅନେକ ଘରୋଇ ଡାକ୍ତରଖାନାରେ ଗୁରୁତର ରୋଗୀ ଚିକିତ୍ସିତ ହେଉଛନ୍ତି। ଔଷଧ ଦୋକାନ ବନ୍ଦ ଯୋଗୁଁଁ ସମସ୍ୟା ଦେଖାଦେବା ଆଶଙ୍କା ରହିଛି। ସରକାରଙ୍କ ଅବହେଳା ଯୋଗୁଁଁ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହେବ ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି। ଡ୍ରଗ୍ସ ଆଣ୍ଡ୍ କସ୍‌ମେଟିକ ନିୟମ ଅନୁଯାୟୀ; ଅନଲାଇନରେ ଔଷଧ ବିକ୍ରୟର କୌଣସି ବ୍ୟବସ୍ଥା ନାହିଁ। କରୋନା ସମୟରେ ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସରକାର ଜରୁରୀ ବିଜ୍ଞପ୍ତି ମାଧ୍ୟମରେ ଔଷଧ ଅନ୍‌ଲାଇନରେ ଦେବା ପାଇଁ ଅନୁମତି ପ୍ରଦାନ କରିଥିଲେ। ହେଲେ ଏବେ ସ୍ଥିତି ସୁଧୁରି ଯିବା ପରେ ମଧ୍ୟ ତାହାକୁ ପ୍ରତ୍ୟାହାର କରାଯାଇନି। ଫଳରେ ୩୦ ହଜାର ବ୍ୟବସାୟୀ ଏବଂ ପ୍ରାୟ ୨.୫ ଲକ୍ଷ ପରିବାର ପ୍ରଭାବିତ ହେଉଛନ୍ତି। ଅନ୍ୟପକ୍ଷରେ ଅନେକ ଆପତ୍ତିଜନକ ଔଷଧ, ଯାହା ବିନା ଡାକ୍ତରୀ ଚିଠାରେ ବିକ୍ରି ହେବା କଥା ନୁହେଁ; ତାହା ଆଜି ସହଜରେ ଉପଲବ୍ଧ ହେଉଛି। ଅନେକ ନିଶା ଔଷଧ ମଧ୍ୟ ଅନ୍‌ଲାଇନରେ ମିଳୁଛି। ଔଷଧ ବ୍ୟବସାୟର ଲାଭାଂଶ ଓ ସ୍ଥିରୀକୃତ ଏମ୍‌‌ଆରପି ଠାରୁ କମ୍‌ ମୂଲ୍ୟରେ ଅନ୍‌ଲାଇନରେ ଔଷଧ ବିକ୍ରି ହେଉଛି। କରୋନା ସମୟରେ ଜାରି ହୋଇଥିବା ଜରୁରୀ ବିଜ୍ଞପ୍ତିକୁ ତୁରନ୍ତ ପ୍ରତ୍ୟାହାର କରି ଅନଲାଇନ ଔଷଧ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ଏବଂ ସର୍ବଭାରତୀୟ ସଂଘ ପକ୍ଷରୁ ଦାବି କରାଯାଇଛି।

Breaking News