ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇନ୍ଧନ ମୂଲ୍ୟ ଅତ୍ୟଧିକ ବୃଦ୍ଧି ଯୋଗୁ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆ ଏହାର ଘରୋଇ ବିମାନ ଉଡ଼ାଣ ଅସ୍ଥାୟୀ ଭାବେ ୨୨ ପ୍ରତିଶତ ହ୍ରାସ କରିଛି। ବାୟୁ ସୀମା କଟକଣା ସହ ବିମାନ ଇନ୍ଧନ ଦର ବୃଦ୍ଧି କାରଣରୁ ବାହାର ଦେଶକୁ ବିମାନ ସେବା ଯୋଗାଇବା ଅତ୍ୟଧିକ ବ୍ୟୟବହୁଳ ହୋଇପଡ଼ିଥିବା ଦର୍ଶାଇ ଟାଟା ଗ୍ରୁପ୍ ମାଲିକାନାରେ ଥିବା ଏୟାରଲାଇନ୍ସ ଏହାର ଅନ୍ତର୍ଜାତୀୟ ଉଡ଼ାଣ ୨୭ ପ୍ରତିଶତ ହ୍ରାସ କରିଥିବାବେଳେ ୨ ସପ୍ତାହ ପରେ ଘରୋଇ ବିମାନ ସେବା କମାଇଛି। ଏୟାର ଇଣ୍ଡିଆ ସପ୍ତାହକୁ ୪,୪୦୦ ଉଡ଼ାଣ କରୁଥିବାବେଳେ ସେଥିରୁ ୩,୬୦୦ ଘରୋଇ ଏବଂ ୮୦୦ ଅନ୍ତର୍ଜାତୀୟ ବିମାନ ସେବା। ବୁଧବାର ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି, ପୂର୍ବ ଘୋଷିତ ନିଷ୍ପତ୍ତି ଅନୁଯାୟୀ, ଜୁନ୍ରୁ ଅଗଷ୍ଟ ମଧ୍ୟରେ ନିର୍ଦ୍ଦିଷ୍ଟ କେତେକ ଅନ୍ତର୍ଜାତୀୟ ବିମାନ ସେବାରେ ପରିବର୍ତ୍ତନ କରାଯାଇଛି। ଖର୍ଚ୍ଚ କମାଇବା ପାଇଁ ସେହି ସମୟ ମଧ୍ୟରେ କେତେକ ନିର୍ଦ୍ଦିଷ୍ଟ ଘରୋଇ ରୁଟ୍ରେ ଉଡ଼ାଣକୁ ଅସ୍ଥାୟୀ ଭାବେ କମ୍ କରାଯାଇଛି। ତେବେ ଘରୋଇ ବିମାନ ଉଡ଼ାଣ ୧୦ରୁ ୨୨ ପ୍ରତିଶତ ହ୍ରାସ ହେବାକୁ ଯାଉଥିବା ସୂତ୍ରରୁ ଜଣାପଡ଼ିଛି। ସପ୍ତାହକୁ ୩,୬୦୦ ଘରୋଇ ଉଡ଼ାଣର ୨୨ ପ୍ରତିଶତ ହ୍ରାସ କରାଗଲେ ୭୯୦ରୁ ଊର୍ଦ୍ଧ୍ୱ ଉଡ଼ାଣ ବନ୍ଦ ହେବ। ମୋଟାମୋଟି ଇନ୍ଧନ ଦର ନିରନ୍ତର ଅତ୍ୟଧିକ ବୃଦ୍ଧି କାରଣରୁ ବିମାନ ଚଳାଚଳରେ ସାମୟିକ ପରିବର୍ତ୍ତନ କରାଯାଇଥିବା ଏୟାର ଇଣ୍ଡିଆ କହିଛି।






More Stories
ପୁରୀରୁ TMC ବିଧାୟକ ଗିରଫ…..
ଇରାନ ଉପରେ ଆମେରିକାର ଆକ୍ରମଣ……
୧୮ରେ ରାଜ୍ୟସଭା ଉପନିର୍ବାଚନ…..