Report Card Odisha

| Daily Odia News

ଖଣି ନିଲାମ ପ୍ରକ୍ରିୟା ଆରମ୍ଭ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବକ୍ସାଇଟ୍, ଲୁହାପଥର, ମାଙ୍ଗାନିଜ୍‌‌, ଆଲୁମିନିୟମଯୁକ୍ତ ଲାଟେରାଇଟ୍ ଓ ଚୂନପଥର ଭଳି ଖଣିଜ ସମ୍ପଦ ଗଚ୍ଛିତ ଥିବା ୫ଟି ଜିଲାର ୧୧ଟି ବୃହତ୍ ଖଣିଜ ବ୍ଲକ ନିଲାମ ହେବ। ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ଅଧୀନରେ ଥିବା ଖଣି ଓ ଭୂତତ୍ତ୍ବ ନିର୍ଦେଶାଳୟ ପକ୍ଷରୁ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କଳାହାଣ୍ଡି, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ବରଗଡ଼ ଜିଲାରେ ଅବସ୍ଥିତ ଏହି ଖଣି ବ୍ଲକଗୁଡ଼ିକର ଅନଲାଇନ ବା ଇ-ନିଲାମ ହେବ। ଏଥିପାଇଁ ଆସନ୍ତା ଜୁଲାଇ ୧୩ ସୁଦ୍ଧା ବିଡ୍ ଦାଖଲ କରିବାକୁ ସମୟସୀମା ଧାର୍ଯ୍ୟ ହୋଇଛି। ୮ଟି ବ୍ଲକକୁ ‘ଖଣି ଲିଜ୍’ ଏବଂ ୩ଟି ବକ୍ସାଇଟ୍‌ ବ୍ଲକକୁ ‘କମ୍ପୋଜିଟ୍ ଲାଇସେନ୍ସ’ ପ୍ରଦାନ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ଚଳିତଥର ରାଜ୍ୟ ସରକାର କର୍ଲାପାଟ ବକ୍ସାଇଟ୍‌ ଖଣି ବ୍ଲକକୁ ନିଲାମ ପାଇଁ ପଦକ୍ଷେପ ନେଇଛନ୍ତି। ସେହିପରି ରାୟଗଡ଼ା ଜିଲାର ନୁନାପାଇମାଲି ବକ୍ସାଇଟ୍‌ ବ୍ଲକ ମଧ୍ୟ ନିଲାମ ହେବ। ରାୟଗଡ଼ାରେ ଥିବା ଟିକିରିମାଲି- ବୁଢ଼ାରାଜାମାଲି, ଟିକିରିଗୁଡ଼ା- ମାଲିଗୁଡ଼ା ଓ ନଙ୍ଗାଲମାର୍ହିମାଲି ବ୍ଲକକୁ କମ୍ପୋଜିଟ୍‌ ଲାଇସେନ୍ସ ମୋଡ୍‌ରେ ନିଲାମ କରାଯିବାକୁ ସ୍ଥିର ହୋଇଛି। ଏଥିସହ କେନ୍ଦୁଝର ଜିଲାର ଗଦାଧରପୁର ଲୁହାପଥର ବ୍ଲକ ନିଲାମ ହେବ। ସୁନ୍ଦରଗଡ଼ ଜିଲାରେ ଜଳଡିହି ତନ୍ତୀଗ୍ରାମ, ପଟମୁଣ୍ଡା- ବି ବ୍ଲକ ସମେତ ବରପଦା ସାଉଥ ବ୍ଲକକୁ ନିଲାମ ପାଇଁ ରଖାଯାଇଛି। କେନ୍ଦୁଝରର କେନ୍ଦୁଡିହି- ପାରୁଲିପଦା ଓ ବରଗଡ଼ ଜିଲାରେ ଥିବା ବେହେରା ବଞ୍ଜିପାଲି ଲାଇମଷ୍ଟୋନ (ଚୂନପଥର) ବ୍ଲକ ମଧ୍ୟ ଏହି ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛି।

Breaking News