ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସୋମବାର ଓଡ଼ିଶାର ଆହୁରି କିଛି ଅଞ୍ଚଳକୁ ପ୍ରବେଶ କରିଛି। ମୌସୁମୀ ବାୟୁର ଉତ୍ତର ସୀମା ଏବେ ବଲାଙ୍ଗୀର ଓ ବରଗଡ଼ର ଅଳ୍ପ ଅଂଶ, ନବରଙ୍ଗପୁର ଓ ଝାରସୁଗୁଡ଼ାର କିଛି ଅଂଶ, କଳାହାଣ୍ଡି, ସୋନପୁର ଏବଂ ସୁନ୍ଦରଗଡ଼ର ଅଧିକାଂଶ ଅଂଶ ଦେଇ ଅତିକ୍ରମ କରିଛି। ରାଜ୍ୟରେ ମୌସୁମୀ ସକ୍ରିୟ ଥିବାବେଳେ ଆଗକୁ ବଢିବା ପାଇଁ ସ୍ଥିତି ଅନୁକୂଳ ହୋଇଛି। ତେଣୁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ସାରା ଓଡ଼ିଶା ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଟ୍ରଫ୍ ଲାଇନ ସହ କାଳବୈଶାଖୀ ଯୋଗୁ ବର୍ଷା ହେଉଥିବା ବେଳେ ଆହୁରି ୪ଦିନ ଅର୍ଥାତ ୨୬ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ପୂରା ରାଜ୍ୟରେ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହ ବର୍ଷା ସମୟରେ ଘଣ୍ଟାପ୍ରତି ୩୦ରୁ ୫୦ କି.ମି. ପର୍ଯ୍ୟନ୍ତ ବେଗରେ ପବନ ବହିବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷେ ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲାକୁ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଲାଗିରହିବ। ସେହିପରି ବର୍ଷା ପ୍ରଭାବରେ ଆଗାମୀ ୨ଦିନ ମଧ୍ୟରେ ଦିନ ତାପମାତ୍ରା ଆଉ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବ। ରାଜ୍ୟରେ ଝଡ଼ବର୍ଷା ଲାଗିରହିଥିବାବେଳେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମଙ୍ଗଳବାର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।






More Stories
TET କ୍ଲିୟର କରିବାକୁ ନିର୍ଦ୍ଦେଶ…..
ଗ୍ୟାସ୍ ଟ୍ରାଜେଡି:ଓଡିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି,୧୦ ଲକ୍ଷ ସହାୟତା ରାଶି ଘୋଷଣା…..
ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…..