ରିପୋର୍ଟ କାର୍ଡ / ଭୁବନେଶ୍ୱର
ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ବର୍ତ୍ତମାନ ସଦୃଶ ଲଘୁଚାପ ଉତ୍ତର ପଶ୍ଚିମ ମଧ୍ୟପ୍ରଦେଶ ଏବଂ ଏହା ସଂଲଗ୍ନ ଦକ୍ଷିଣ-ପଶ୍ଚିମ ଓ ଉତ୍ତର-ପଶ୍ଚିମ ଅଞ୍ଚଳରେ ସକ୍ରିୟ ରହିଛି। ଦୁର୍ବଳ ହେବା ପରେ ପାଗ ବଦଳିବା ସହ ବର୍ଷା କମିଛି, ଆସନ୍ତା ୫ ଦିନ ପର୍ଯ୍ୟନ୍ତ କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାବେଳେ ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ନିଂ ଜାରି କରିଛି। ଗୁରୁବାର କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଅନୁଗୋଳ, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲାକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ୩୦ରୁ ୪୦ କିମି ପବନ ବହିବାର ସମ୍ଭାବନା ନେଇ ୟେଲୋ ୱାର୍ନିଂ ଜାରି ହୋଇଛି। ସେହିପରି ଶୁକ୍ରବାର କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୋଳ, ବୌଦ୍ଧ ଓ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ଓ ୩୦ରୁ ୪୦ କିମି ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।






More Stories
ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍…..
ଓଡ଼ିଶା ଗସ୍ତରେ ଉପରାଷ୍ଟ୍ରପତି…..
ପ୍ରଥମ ବନ୍ୟାଜଳ ଛାଡିଲା ହୀରାକୁଦ…..