Report Card Odisha

| Daily Odia News

ଆଇଆରଜିସିକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ବ୍ରିଟେନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବ୍ରିଟେନ ସରକାର ଇରାନର ସାମରିକ ବାହିନୀ ‘ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ’ (ଆଇଆରଜିସି)କୁ ଏକ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି। ବ୍ରିଟେନ ମାଟିରେ ଇହୁଦୀ ସମୁଦାୟ, ଇସ୍ରାଏଲ୍ ଓ ଇରାନର ବିରୋଧୀ ଗଣମାଧ୍ୟମଗୁଡ଼ିକୁ ନିଶାଣ କରି ହୋଇଥିବା ଏକାଧିକ ଆକ୍ରମଣ ଓ ହିଂସାତ୍ମକ ଷଡ଼ଯନ୍ତ୍ର ପଛରେ ଆଇଆରଜିସିର ହାତ ଥିବା ଜଣାପଡ଼ିବା ପରେ ବ୍ରିଟେନ ଏହି ପଦକ୍ଷେପ ନେଇଛି। ବ୍ରିଟେନ ସରକାର ‘ନ୍ୟାସନାଲ ସିକ୍ୟୁରିଟି (ଷ୍ଟେଟ୍ ଥ୍ରେଟ୍ସ) ଆକ୍ଟ ୨୦୨୬’ ର ସ୍ୱତନ୍ତ୍ର କ୍ଷମତା ବ୍ୟବହାର କରି ଏହି ପ୍ରତିବନ୍ଧକ ଲଗାଇଛନ୍ତି। ପୂର୍ବରୁ ବ୍ରିଟେନର ଆତଙ୍କବାଦ ନିରୋଧୀ ଆଇନ କେବଳ ଅଣ-ରାଷ୍ଟ୍ରୀୟ ସଂଗଠନ ଉପରେ ଲାଗୁ ହେଉଥିଲା, କିନ୍ତୁ ନୂଆ ଆଇନ ବଳରେ ଏହା ପ୍ରଥମ ଥର ପାଇଁ କୌଣସି ବିଦେଶୀ ରାଷ୍ଟ୍ରର ସରକାରୀ ସାମରିକ ବାହିନୀ ଉପରେ କଟକଣା ଲାଗୁ କରାଯାଇଛି। ବ୍ରିଟେନ ସୁରକ୍ଷା ଏଜେନ୍ସି କହିବା ଅନୁଯାୟୀ, ଇରାନ ସମର୍ଥିତ ଉଗ୍ରବାଦୀ ଗୋଷ୍ଠୀ ବ୍ରିଟେନରେ ପ୍ରାୟ ୭ଟି ବଡ଼ ଆକ୍ରମଣ କରିଛି, ଯେଉଁଥିରେ ଲଣ୍ଡନର ଇହୁଦୀ ସେବା ସଂସ୍ଥାର ଆମ୍ବୁଲାନ୍ସଗୁଡ଼ିକରେ ନିଆଁ ଲଗାଇବା ଘଟଣା ସାମିଲ ଅଛି।ଏହି ସମସ୍ତ ଘଟଣାକୁ ଆଇଆରଜିସିର ‘କୁଡ୍ସ ଫୋର୍ସ’ ପରିଚାଳିତ କରୁଥିଲା। ଏହା ବ୍ୟତୀତ ବ୍ରିଟେନରେ ରହୁଥିବା ଇରାନୀ ସାମ୍ବାଦିକଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ଷଡ଼ଯନ୍ତ୍ର କରାଯାଇଥିଲା। ବ୍ରିଟେନରେ ଆଇଆରଜିସିକୁ ସମର୍ଥନ କରିବା, ଏହାର ସଭା ଆୟୋଜନ କରିବା କିମ୍ବା ଏହାର ଲୋଗୋ ପ୍ରଦର୍ଶନ କରିବା ଏକ ଅପରାଧ ବୋଲି ବିବେଚନା କରାଯିବ। ଏହି ସଂଗଠନ ପାଇଁ କାମ କରୁଥିବା ବ୍ୟକ୍ତିଙ୍କୁ ୧୪ ବର୍ଷରୁ ନେଇ ଆଜୀବନ କାରାଦଣ୍ଡ ଭୋଗିବାକୁ ପଡିବ।

Breaking News