ରିପୋର୍ଟ କାର୍ଡ / କେନ୍ଦ୍ରାପଡ଼ା
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଦେଇ ପ୍ରବାହିତ ମହାନଦୀ ଶାଖା ଗୁପ୍ତଗିରୀ ନାଳରେ ଜଣେ ମାଛ ଧରାଳିଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି। ନିଖୋଜ ମାଛ ଧରାଳି ନିକଟସ୍ଥ ବରକନ୍ଧା ଗ୍ରାମର ଚକ୍ରଧର ବେହେରା(୬୯)। ଖବର ପାଇ ସ୍ଥାନୀୟ ଲୋକେ ମହାକାଳପଡ଼ା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଗୁରୁବାର ସନ୍ଧ୍ୟା ସୁଦ୍ଧା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ମାଛ ଧରାଳିଙ୍କୁ ଖୋଜାଖୋଜି କରିଥିଲେ ହେଁ ଠାବ କରି ପାରି ନାହାନ୍ତି। ଚକ୍ରଧର ଗୋଜାବନ୍ଧ ଗାନ୍ଧିଜୀ ବିଦ୍ୟାପୀଠରୁ ଚତୁର୍ଥ ଶ୍ରେଣୀ କର୍ମଚାରୀଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ। ମହାନଦୀରେ ବନ୍ୟା ଯୋଗୁ ଏହି ଗୁପ୍ତଗିରି ନାଳରେ ବଉଳା କୁମ୍ଭୀର ବିଚରଣ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଗୁରୁବାର ପୂର୍ବାହ୍ନରେ ଚକ୍ରଧର ଜାଲ ପକାଇବାକୁ ନାଳକୁ ଯାଇ ଘରକୁ ଫେରି ନ ଥିଲେ। ପରିବାର ଲୋକେ ସନ୍ଦେହ କରି ଗାଁ ନିକଟ ଗୁପ୍ତଗିରି ନାଳକୁ ଯାଇ ଖୋଜାଖୋଜି କରିଥିଲେ। ଗୁପ୍ତଗିରି ନାଳ ସେତୁ ନିକଟ ଏକ ଗଛରେ ଭଉଁରୀ ଜାଲ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା। ନିକଟରେ ଚକ୍ରଧରଙ୍କ ସାଇକେଲ ଓ ଚପଲ ରହିଥିଲା। ନାଳରେ ଜାଲ ଲାଗିବା ପରେ ସେ ପାଣିରେ ପଶି ଛଡ଼ାଇବା ପାଇଁ ଉଦ୍ୟମ କରୁଥିବା ବେଳେ କୁମ୍ଭୀର ଟାଣି ନେଇଥିବା ଅନୁମାନ କରାଯାଉଛି।






More Stories
ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ…..
ପ୍ରବଳ ବର୍ଷା ନେଇ ସତର୍କତା ଜାରି…..
ସପ୍ତାହେ ପ୍ରବଳ ବର୍ଷୀବ……