Report Card Odisha

| Daily Odia News

ସରକାରଙ୍କ ନୂଆ ନିୟମ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାସ୍ତାରେ ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ପାଇଁ ଆସୁଛି ବଡ଼ ଝଟ୍‌କା। ଏଣିକି କେବଳ ଚାଲାଣ କାଟି ଛାଡ଼ି ଦିଆଯିବ ନାହିଁ। ଟ୍ରାଫିକ ନିୟମ ଭାଙ୍ଗିଲେ ଡ୍ରାଇଭିଂ ଲାଇସେନ୍ସ ଏବଂ ଗାଡ଼ିର ଆର୍ସିରୁ ପଏଣ୍ଟ କଟାଯିବ। ପଏଣ୍ଟ ଏକ ନିର୍ଦ୍ଦିଷ୍ଟ ସୀମା ଟପିଲେ ଲାଇସେନ୍ସ ସସ୍ପେଣ୍ଡ କିମ୍ବା ସ୍ଥାୟୀ ଭାବେ ବାତିଲ କରାଯାଇପାରେ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ୬୬ତମ SIAM ବାର୍ଷିକ ସମ୍ମିଳନୀରେ ଏହି ନୂଆ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି। ଦେଶରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ସରକାର ଏବେ ଅଧିକ କଠୋର ପଦକ୍ଷେପ ନେବାକୁ ଯୋଜନା କରୁଥିବା ସେ କହିଛନ୍ତି।ଗଡ଼କରୀଙ୍କ କହିବା ଅନୁଯାୟୀ, ଡ୍ରାଇଭିଂ ଲାଇସେନ୍ସ ଏବଂ ଗାଡ଼ିର ଆର୍ସି ପାଇଁ ଏକ ଗ୍ରେଡେଡ ପଏଣ୍ଟ ସିଷ୍ଟମ ଆଣିବାକୁ ଯୋଜନା ହେଉଛି। ଏହି ବ୍ୟବସ୍ଥା ଲାଗୁ ହେବା ପରେ ଚାଳକ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ତାଙ୍କ ଲାଇସେନ୍ସରୁ ପଏଣ୍ଟ କଟିବ। ବାରମ୍ବାର ନିୟମ ଭାଙ୍ଗିବା ଯୋଗୁ କଟିଥିବା ପଏଣ୍ଟ ଯଦି ନିର୍ଦ୍ଦିଷ୍ଟ ସୀମା ଅତିକ୍ରମ କରେ, ତେବେ ଟ୍ରାଫିକ ପୋଲିସ କିମ୍ବା ପ୍ରଶାସନ ସମ୍ପୃକ୍ତ ବ୍ୟକ୍ତିଙ୍କ ଲାଇସେନ୍ସ ସସ୍ପେଣ୍ଡ କରିପାରିବେ। ଆବଶ୍ୟକ ହେଲେ ଲାଇସେନ୍ସ ସ୍ଥାୟୀ ଭାବେ ବାତିଲ ମଧ୍ୟ ହୋଇପାରେ। ନୂଆ ପଏଣ୍ଟ ସିଷ୍ଟମ କେବଳ ନିୟମ ଭାଙ୍ଗୁଥିବା ଚାଳକଙ୍କୁ ଦଣ୍ଡ ଦେବା ପାଇଁ ନୁହେଁ। ଭଲ ଡ୍ରାଇଭିଂ ରେକର୍ଡ ଥିବା ଚାଳକଙ୍କୁ ମଧ୍ୟ ଏଥିରୁ ଲାଭ ମିଳିପାରେ। ଗଡ଼କରୀ କହିଛନ୍ତି, ଭଲ ରେକର୍ଡ ଥିବା ଚାଳକଙ୍କୁ ବୀମା କମ୍ପାନୀ ପକ୍ଷରୁ ପ୍ରିମିୟମରେ ରିହାତି କିମ୍ବା ଅନ୍ୟାନ୍ୟ ଆର୍ଥିକ ସୁବିଧା ଦିଆଯାଇପାରେ। ଏହାଦ୍ୱାରା ଭଲ ଏବଂ ଖରାପ ଡ୍ରାଇଭରଙ୍କ ମଧ୍ୟରେ ଫରକ କରାଯିବ। ଆଦତଗତ ଭାବେ ନିୟମ ଭାଙ୍ଗୁଥିବା ଚାଳକଙ୍କ ଉପରେ କଠୋର ଜରିମାନା ଲାଗୁ ହେବ। ସମ୍ମିଳନୀରେ ପୁରୁଣା BS-IV ଗାଡ଼ିକୁ ନେଇ ମଧ୍ୟ ଗଡ଼କରୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ପୁରୁଣା ଗାଡ଼ିରୁ ନିର୍ଗତ ହେଉଥିବା ଧୂଆଁ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସରକାର ଏକ ନୂଆ ଏମିଶନ କଣ୍ଟ୍ରୋଲ ଡିଭାଇସ ଆଣିବାକୁ ଯାଉଛି। ଏହି ଡିଭାଇସର ମୂଲ୍ୟ ପ୍ରାୟ ୪,୦୦୦ରୁ ୫,୦୦୦ ଟଙ୍କା ମଧ୍ୟରେ ରହିବ ବୋଲି କୁହାଯାଇଛି। ଏହାର ଟ୍ରାଏଲ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି। ପୁରୁଣା ଗାଡ଼ିରେ ଏହା ଲଗାଇବା ପରେ ଗାଡ଼ିରୁ ବାହାରୁଥିବା ଧୂଆଁର ମାନ ନୂଆ BS-VI ଗାଡ଼ି ସ୍ତରରେ ପହଞ୍ଚିପାରିବ ବୋଲି ମନ୍ତ୍ରୀ କହିଛନ୍ତି।

Breaking News