ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କାମ ପାଇଁ କେରଳରୁ ଆମେରିକା ଯାଇଥିଲେ ୩ ଜଣ ଉଚ୍ଚଶିକ୍ଷିତା ମହିଳା | ବିଦେଶରେ ବାନ୍ଧି ହୋଇଯାଇଥିଲେ ବନ୍ଧୁତାର ଡୋରିରେ। ନିଜ ବାନ୍ଧବୀଙ୍କୁ ଗାଡି଼ ଚଢାଇ ହତ୍ୟା କରିବା ଅଭିଯୋଗରେ ଆମେରିକା କାଲିଫର୍ଣ୍ଣିଆ ପୋଲିସ ଜଣେ କେରଳୀ ମହିଳାଙ୍କୁ ଗିରଫ କରିବା ପରେ ଏହି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତାଙ୍କ ନାଁ ଅନୀଳା ବେବି(୩୨) । ସେ ଗାଡି ଚଢାଇ ହତ୍ୟା କରିଥିବା ମହିଳା ଜଣକ ହେଉଚନ୍ତି ଅଞ୍ଜନା ହରି(୩୫) । ଏହି ଘଟଣାର ତୃତୀୟ ମହିଳା ମଧ୍ୟ ହତ୍ୟା ଶିକାର ହୋଇଛନ୍ତି । ତାଙ୍କ ନାଁ ଆନ୍ ମାରି ମାଥ୍ୟୁ । ତାଙ୍କୁ କେହି ଅଜଣା ବ୍ୟକ୍ତି ଛୁରୀ ଭୁସି ହତ୍ୟା କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଅଂଜନାଙ୍କ ହତ୍ୟା ପରେ ପରେ ହିଁ ମାଥ୍ୟୁଙ୍କୁ ହତ୍ୟା କରାଯାଇଛି । ତେବେ ହତ୍ୟାକାରୀ କିଏ, ଏଯାଏ ତାହା ଜଣାପଡିନାହିଁ । କେରଳ କୋଟାୟାମର ବାସିନ୍ଦା ଅନୀଳା ବବି କାଲିଫର୍ଣ୍ଣିଆର ମିଲ୍କ୍ରିକ୍ ଆପାର୍ଟମେଂଟରେ ରହୁଥିଲେ । ଏହି ଆପର୍ଟମେଂଟରେ ମଧ୍ୟ ରହୁଥିଲେ ଆଉ ଜଣେ ଭାରତୀୟ ଅଞ୍ଜନା ହରି । ବବି ଓ ଅଂଜନାଙ୍କ ମଧ୍ୟରେ ବନ୍ଧୁତା ଥିଲା । ଗତ ଅଗଷ୍ଟ ୨୮ ତାରିଖ ଦିନ ବବିଙ୍କ ଗାଡ଼ି ଧକ୍କାରେ ଅଞ୍ଜନାଙ୍କ ମୃତ୍ୟୁ ଘଟିଥିଲା । ପ୍ରଥମେ ଲୋକେ ଏହାକୁ ଏକ ଦୁର୍ଘଟଣା ବୋଲି ଭାବି ନେଇଥିଲେ । ତେବେ ସିସିଟିଭି ଯାଂଚ ପରେ ଏହା ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା । ସିସିଟିଭି ଫୁଟେଜ୍ ଅନୁଯାୟୀ, ଗାଡ଼ିର ଡ୍ରାଇଭର ସିଟ୍ରେ ବବି ବସିଥିବା ବେଳେ ଅଞ୍ଜନା ହସି ହସି ଗାଡି ଆଡକୁ ଆସୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ହଠାତ୍ ବବି ତାଙ୍କ ଉପରକୁ ଗାଡି ଚଢାଇ ଦେଇଥିଲେ । ଅଂଜନା ଛଟପଟ ହେଉଥିବା ବେଳେ ବବି ଗାଡି ଧରି ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ପୋଲିସ ବବିଙ୍କୁ ଖୋଜାଖୋଜି କରି ଏକ ପାର୍କିଂସ୍ଥାନରୁ ଗିରଫ କରିଥିଲା । ୟା ଭିତରେ ଘଟି ଯାଇଥିଲା ଆଉ ଏକ ଅଘଟଣ । ଏଠାରୁ ପ୍ରାୟ ୧୭ କିମି ଦୂର ଲିଣ୍ଡା ଭିଷ୍ଟା ଷ୍ଟ୍ରିଟ୍ରେ ରହୁଥିବା ଏ ଦୁଇ ମହିଳାଙ୍କ ଆଉ ଜଣେ ବାନ୍ଧବୀ ଆନ୍ ମାରି ମାଥ୍ୟୁଙ୍କୁ ତାଙ୍କ ଘରେ କେହି ଛୁରୀ ଭୁସି ହତ୍ୟା କରିଥିଲା । ଅଞ୍ଜନାଙ୍କ ମୃତ୍ୟୁର ଘଂଟାଏ ଭିତରେ ମାଥ୍ୟୁଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । ଅଂଜନାଙ୍କୁ ହତ୍ୟା କରିବା ପରେ ବବି ହୁଏତ ମାଥ୍ୟୁଙ୍କୁ ବି ହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରି ପୁଲିସ ତଦନ୍ତ ଜାରି ରଖିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଅଂଜନାଙ୍କ ମୃତ୍ୟୁ ଖବର ଶୁଣି ମାଥ୍ୟୁଙ୍କ ସ୍ୱାମୀ ମିଲ୍କ୍ରିକ୍ ଆପାର୍ଟମେଂଟ ଆସି ବୁଝାଶୁଝା କରି ଘରକୁ ଯିବା ବେଳକୁ ସେଠି ନିଜ ପତ୍ନୀଙ୍କୁ କେହି ହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ଏହି ହତ୍ୟାକାଣ୍ଡର କାରଣ ନେଇ ପୋଲିସ ତଦନ୍ତ ଜାରି ରଖିଥିଲେ ମଧ୍ୟ କୌଣସି ଠୋସ୍ କାରଣ ପାଇପାରିନାହିଁ । ତେବେ ନିକଟରେ ବବିଙ୍କର ଚାକିରି ଚାଲିଯାଇଥିବାରୁ ସେ ମାନସିକ ଉଦ୍ବିଗ୍ନତାର ଶିକାର ହୋଇଥିଲେ । ତେଣୁ ମାନସିକ ଭାରସାମ୍ୟ ହରାଇ ସେ ଏପରି ଅପରାଧ ଘଟାଇପାରିଥାନ୍ତି ବୋଲି ପୋଲିସ ଅନୁମାନ କରୁଛି ।






More Stories
ସରକାରଙ୍କ ନୂଆ ନିୟମ…..
ଦିଲ୍ଲୀ ପୂର୍ବତନ ମୁଖ୍ୟ ସଚିବ ରାକେଶ ମେହେଟ୍ଟାଙ୍କ ଆତ୍ମହତ୍ୟା…..
ବିକଶିତ ଭାରତ ପାଇଁ Gen-Zଙ୍କ ସହଯୋଗ ଏବଂ ସମର୍ଥନ ଆବଶ୍ୟକ…..