ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡିକରେ(ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗ(ଏସ୍ଇବିସି)ର ଲୋକଙ୍କ ସଂଖ୍ୟା, ସେମାନଙ୍କ ରାଜନୈତିକ ପ୍ରତିନିଧିତ୍ୱ ଏବଂ ସେହିସବୁ ସଂସ୍ଥାରେ ସେମାନେ ରାଜନୈତିକ ଭାବେ କେତେ ପଛୁଆ ସେ ସମ୍ପର୍କରେ ଅନୁଧ୍ୟାନ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ କମିଶନ ଗଠନ କରାଯାଇଛି। ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଏ ସମ୍ପର୍କରେ ବୁଧବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ପ୍ରମଥ ପଟ୍ଟନାୟକ ଏହି କମିଶନର ଅଧ୍ୟକ୍ଷ ଅଛନ୍ତି। ଏହାସହ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ବିଜୟ କୁମାର ପୃଷ୍ଟି ଏହି କମିଶନର ସଦସ୍ୟ ଭାବେ କାର୍ଯ୍ୟ କରିବେ। ବିଭାଗର ସ୍ବତନ୍ତ୍ର ସଚିବ ସୁଜାତା ମିଶ୍ର କମିଶନର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ। ଏହି କମିଶନ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ପୌରାଞ୍ଚଳରେ ଥିବା ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥା ଗୁଡ଼ିକରେ ସେ ଅଞ୍ଚଳର ସମୁଦାୟ ଲୋକସଂଖ୍ୟା ତୁଳନାରେ ଏସ୍ଇବିସିମାନଙ୍କ ସଂଖ୍ୟାର ଅନୁପାତ ସମ୍ପର୍କରେ ଅନୁଧ୍ୟାନ କରିବ। ଏହାସହ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡିକରେ ସେମାନଙ୍କ ରାଜନୈତିକ ପ୍ରତିନିଧିତ୍ୱ ଏବଂ ସେହି ତୁଳନାରେ ସେମାନେ ରାଜନୈତିକ ଦୃଷ୍ଟିକୋଣରୁ କେତେ ପଛୁଆ ଅଛନ୍ତି ତା’ର ସ୍ବରୂପ ଓ ତାହାର ପ୍ରଭାବ ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରାଯିବ। ଏହାଦ୍ୱାରା ରାଜ୍ୟରେ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ଜନସାଧାରଣଙ୍କ ସ୍ଥାନୀୟ ସ୍ବାୟାତ୍ତ ଶାସନ ସଂସ୍ଥାଗୁଡିକରେ ଉପଯୁକ୍ତ ପ୍ରତିନିଧିତ୍ୱ ଓ ସେମାନଙ୍କ ଅଧିକାର ସମ୍ପର୍କରେ ଉପଯୁକ୍ତ ବ୍ୟବସ୍ଥା କରାଯିବ। ସୂଚନାଯୋଗ୍ୟ, ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ବର୍ଗର ଛାତ୍ରୀଛାତ୍ରମାନଙ୍କ ପାଇଁ ଇଞ୍ଜିନିୟରିଂ ଓ ମେଡିକାଲ ପରି ବୃତ୍ତିଗତ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକରେ୧୧.୨୫ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରିଛନ୍ତି।






More Stories
ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି…..
ଓଡ଼ିଶା ବନ୍ଦ ଡାକରାର ପ୍ରଭାବ…..
IAS ସ୍ତରରେ ଅଦଳବଦଳ…..