Report Card Odisha

| Daily Odia News

ଟିକା ପାଇଁ କେନ୍ଦ୍ରକୁ ନିବେଦନ କଲେ ଅରବିନ୍ଦ କେଜ୍ରିୱାଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ସଂକ୍ରମକୁ ହରାଇବା ପାଇଁ ମୃତ୍ୟୁ ସଂଜୀବନୀ ସାଜିଛି ଟିକା | ଜାତୀୟ ରାଜଧାନୀ ଦିଲ୍ଲୀରେ ଟିକା ଅଭାବ ଦେଖାଦେଇଛି । ସଂକ୍ରମଣ ସମୟରେ ଟିକା ଉପଲବ୍ଧ କରାଇବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି । ଦିଲ୍ଲୀକୁ ଟିକା ପ୍ରଦାନ କଲେ ପୁଣି ଥରେ ଟିକାକରଣ ଆରମ୍ଭ ହୋଇପାରିବ । ଏଥିସହ ଦିଲ୍ଲୀରେ ଟିକା କୋଟା ମଧ୍ୟ ବୃଦ୍ଧି କରାଯିବା ଉଚିତ ବୋଲି କହିଛନ୍ତି କେଜ୍ରିୱାଲ । ଦିଲ୍ଲୀରେ ପ୍ରତି ମାସରେ ୮୦ ଲକ୍ଷ ଟିକା ଡୋଜର ଆବଶ୍ୟକତା ରହିଛି। ମେ ମାସରେ ମାତ୍ର ୧୬ ଲକ୍ଷ ଟିକା ଦିଆଯାଇଥିବା ବେଳେ ଜୁନ୍ ପାଇଁ କେନ୍ଦ୍ର ଦିଲ୍ଲୀର ଭ୍ୟାକ୍ସିନ ପାଇବାର କୋଟାକୁ ଆହୁରି ହ୍ରାସ କରିଛି। ଜୁନ୍ ମାସରେ ଦିଲ୍ଲୀକୁ ମିଳିବ ମାତ୍ର ୮ ଲକ୍ଷ ଟିକା । ପ୍ରତି ମାସରେ ୮ ଲକ୍ଷ ଟିକା ଦିଆଗଲେ, ଦିଲ୍ଲୀବାସୀଙ୍କ ଟିକାକରଣ ପାଇଁ ୩୦ ମାସରୁ ଅଧିକ ସମୟ ଲାଗିବ। ଟିକା ଅଭାବରୁ ଦିଲ୍ଲୀରେ ଆଜି ଠାରୁ ଯୁବଗୋଷ୍ଠୀଙ୍କ ଟିକାକରଣ ବନ୍ଦ ହୋଇଯାଇଛି । କେନ୍ଦ୍ର ସରକାର ଯୁବଗୋଷ୍ଠୀଙ୍କ ପାଇଁ ପଠାଇଥିବା ଟିକା ଶେଷ ହୋଇଯାଇଛି । ମାତ୍ର କିଛି ଡୋଜ୍ ଟିକା ବଳକା ରହିଛି, ସନ୍ଧ୍ୟା ସୁଦ୍ଧା ତାହା ବି ଶେଷ ହୋଇଯିବ । ଆସନ୍ତାକାଲି ଠାରୁ ସମସ୍ତ ଯୁବଗୋଷ୍ଠୀଙ୍କ ଟୀକାକରଣ କେନ୍ଦ୍ର ବନ୍ଦ ରହିବ। ସେପଟେ ଦିଲ୍ଲୀରେ କରୋନା ସଂକ୍ରମଣ କମିଥିବା କହିଲେ କେଜ୍ରିୱାଲ । ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣ ହାର ୩.୫ ପ୍ରତିଶତକୁ ଖସି ଆସିଛି । ସେହିପରି ଦେଶରେ ସଂକ୍ରମଣ କମୁଛି, ହେଲେ ଡରାଉଛି ମୃତ୍ୟୁ ସଂଖ୍ୟା । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଦେଶରେ ୨୪ ଘଣ୍ଟାରେ ୨ଲକ୍ଷ ୫ ହଜାର ୨୯୯ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ହେଲେ ମୃତ୍ୟୁ ସଂଖ୍ୟା ଆଜି ବି ୪ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୧୯୪ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬୨ ଲକ୍ଷ ୮୯ ହଜାର ୨୯୦କୁ ବୃଦ୍ଧି ପାଇଛି । ସେହିପରି ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୨ ଲକ୍ଷ ୯୫ ହଜାର ୫୨୫କୁ ଛୁଇଁଛି ।

Breaking News